ପ୍ୟାରିସ୍: ଫ୍ରାନ୍ସ ସ୍ୱାସ୍ଥ୍ୟ ଅଧିକାରୀ ରବିବାର କହିଛନ୍ତି ଯେ ଦେଶରେ ଗ୍ରୀଷ୍ମ ଲହରୀ ଯୋଗୁ ପାଖାପାଖି ୧୦୦୦ରୁ ଅଧିକ ମୃତ୍ୟୁ ହେଲାଣି। ଏହି ଗ୍ରୀଷ୍ମ ଲହରୀ ଗତ କିଛି ଦିନରେ ପଶ୍ଚିମ ୟୁରୋପର ଏକ ବିଶାଳ ଅଂଶକୁ ଗୁରୁତର ପ୍ରଭାବିତ କରିଛି। ପବ୍ଲିକ୍ ହେଲଥ୍ ଫ୍ରାନ୍ସ ଏକ ବୟାନରେ କହିଛି ଯେ ୨୪ ଜୁନ ପରଠାରୁ ଗତ ମାସର ମୃତ୍ୟୁ ତୁଳନାରେ ପାଖାପାଖି ଏକ ହଜାର ଅତିରିକ୍ତ ମୃତ୍ୟୁ ହେଲାଣି। ଏଜେନ୍ସୀ କହିଛି ଯେ ଗ୍ରୀଷ୍ମ ଲାଗି ରେଡ ଆଲର୍ଟ ଘୋଷିତ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗ୍ରୀଷ୍ମ ପ୍ରବାହରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୮୫ ପ୍ରତିଶତଙ୍କ ବୟସ ୬୫ ବର୍ଷ ଉପରେ ରହିଛି।

ଏଜେନ୍ସୀ କହିଛି ଯେ ସବୁଠୁ ଅଧିକ ମୃତ୍ୟୁ ଘରେଥିବା ଲୋକଙ୍କର ହୋଇଛି। ଖାସ କରି ଇଲେ-ଡି-ଫ୍ରାନ୍ସ ଅଞ୍ଚଳ ଅର୍ଥାତ ପ୍ୟାରିସ୍ ଓ ଏହା ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ବୟାନରେ କୁହାଯାଇଛି ଯେ ‘ଏ କଥା ଆମକୁ ମନେ ପକାଇ ଦେଉଛି ଯେ ଯେଉଁମାନେ ଏକାକୀ ଓ ବହୁତ ଏକାକିତ୍ୱର ସାମ୍ନା କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ସହରାଞ୍ଚଳର ଲୋକେ ଅଛନ୍ତି ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଓ ସେମାନଙ୍କ ନିକଟକୁ ସହାୟତା ପହଞ୍ଚାଇବା ଜରୁରି’।

ଏଜେନ୍ସୀ କହିଛି ଯେ ଏହି ସଂଖ୍ୟା ପ୍ରାରମ୍ଭିକ ସୂଚନା ଆଧାରରେ ଓ ହୋଇ ପାରେ ଏହାଠୁ ବି ଅଧିକ ମୃତ୍ୟୁ ହୋଇଛି। ଅନେକ ଦିନ ପର୍ଯ୍ୟନ୍ତ ଅସହ୍ୟ ଗରମ ଓ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଉପରେ ରହିବା ଯୋଗୁ ଏପରି ଅବସ୍ଥା ଦେଖା ଦେଇଛି। ତେବେ ରବିବାର ପୁରା ଫ୍ରାନ୍ସକୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଲୋକଙ୍କୁ ଜାରି ଗ୍ରୀଷ୍ମ ପ୍ରବାହରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ ନିତ୍ୟାନ୍ତ କାମ ନଥିଲେ ଘରୁ ପଦାକୁ ନ ବାହାରିବାକୁ କୁହାଯାଇଛି। ଏହା ସହ ପ୍ରଚୁର ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।