ନୂଆଦିଲ୍ଲୀ: ତେଲେଙ୍ଗାନାରେ ଶାସକ କଂଗ୍ରେସ ଦଳ ଭିତରେ ବିଦ୍ରୋହ ଉଗ୍ରରୂପ ଧାରଣ କରିଛି । କଂଗ୍ରେସ ବିଧାୟକମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏହାରି ମଧ୍ୟ​‌ରେ ମୁନୁଗୋଡେ ବିଧାୟକ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀଙ୍କ ପ୍ରତିକ୍ରିୟା ଦଳର ଆଭ୍ୟନ୍ତରୀଣ କନ୍ଦଳ ପ୍ରସଙ୍ଗକୁ ଆହୁରି ଖୋରାକ ଯୋଗାଇଛି । ବିକାଶମୂଳକ ପାଣ୍ଠି ଆବଣ୍ଟନରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ ଆଣି ସେ ପୁଣିଥରେ ମୁଖ୍ୟମନ୍ତ୍ରୀ  ରେବନ୍ତ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଏବଂ ମନ୍ତ୍ରୀ ଏନ୍. ଉତ୍ତମ କୁମାର ରେଡ୍ଡୀଙ୍କ ଉପରେ ବର୍ଷିଛନ୍ତି । 

ମୁନୁଗୋଡେଠାରେ ଆୟୋଜିତ ଏକ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ ଗୋପାଳ ରେଡ୍ଡୀ ନିଜ ନିର୍ବାଚନମଣ୍ଡଳୀ ପାଇଁ ପାଣ୍ଠି ଦାବି କରୁଥିବା ବିଧାୟକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ‘ଆପଣ କେଉଁ ପ୍ରକାରର ମୁଖ୍ୟମନ୍ତ୍ରୀ ? ଏ କି ପ୍ରକାରର ଭାଷା ? ଆପଣ ଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି । ଅତି କମରେ ଆଉ ଦୁଇ ବର୍ଷ ଭଲ କାମ କର ଏବଂ ତେଲେଙ୍ଗାନାବାସୀଙ୍କ ଯତ୍ନ ନିଅ।’

ବିରୋଧ କରୁଥିବା ନେତାମାନଙ୍କୁ ଦମନ କରିଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା କଥିତ ଚେତାବନୀ ଉପରେ ସେ ଜବାବ ବି ଦେଇଛନ୍ତି । ସେ କହିଛନ୍ତି ଯେ, ଜଣେ ବରିଷ୍ଠ କଂଗ୍ରେସ ବିଧାୟକ ବିକାଶ ପାଇଁ ପାଣ୍ଠି ମାଗିଲେ ସକାରାତ୍ମକ ଉତ୍ତର ଦେବା ପରିବର୍ତ୍ତେ ତାଙ୍କୁ ଦମନ କରିବାକୁ ଧମକ ଦେବା କେତେଦୂର ଠିକ୍ ? ସରକାର କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କୋଡାଙ୍ଗାଲ ଏବଂ ଉପମୁଖ୍ୟମନ୍ତ୍ରୀ ଭଟ୍ଟିଙ୍କ ନିର୍ବାଚନମଣ୍ଡଳୀ ମଧିରା ଉପରେ ଧ୍ୟାନ ଦେଉଥିବା ସେ ଅଭିଯୋଗ କରିଛନ୍ତି ।  ବିଧାୟକ କହିଛନ୍ତି, ତେଲେଙ୍ଗାନା କେବଳ କୋଡାଙ୍ଗାଲ ଏବଂ ମଧିରା ନୁହେଁ। କୋଡାଙ୍ଗାଲକୁ ୧୦,୦୦୦ କୋଟି କିମ୍ବା ୨୦,୦୦୦ କୋଟି ଟଙ୍କା ଦିଅ, ସେଥିରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ମୁନୁଗୋଡେ ଭଳି ପଛୁଆ ନିର୍ବାଚନମଣ୍ଡଳୀଗୁଡ଼ିକୁ ମଧ୍ୟ ସେମାନଙ୍କର ଉଚିତ୍ ଭାଗ ମିଳିବା ଦରକାର।

ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଚେତବାନୀ ଦେଇ କହିଛନ୍ତି, ଯଦି ମୁନୁଗୋଡେର ବିକାଶ ପାଇଁ ପାଣ୍ଠି ବନ୍ଦ କରାଯାଏ, ତେବେ ଏହା ଆଉ ଏକ କୁରୁକ୍ଷେତ୍ର ପାଲଟିବ ବୋଲି । ପାଣ୍ଠି ଅଭାବରୁ ରାସ୍ତାଘାଟ ଏବଂ ଜଳସେଚନ ଭଳି ଅନେକ ବିକାଶମୂଳକ ପ୍ରକଳ୍ପ ଅଟକି ରହିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଚୌତୁପ୍ପାଲଠାରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣରେ ବିଳମ୍ବକୁ ନେଇ କଂଗ୍ରେସ ବିଧାୟକ ପ୍ରଶ୍ନ ଉଠାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନି ବର୍ଷର ଶାସନ ପରେ ତେଲେଙ୍ଗାନାର ଜନସାଧାରଣ ଖୁସି ନାହାନ୍ତି।

ସେପଟେ ମନ୍ତ୍ରୀ ପଦ ମିଳିନାହିଁ ବୋଲି ଆକ୍ରୋଶମୂଳକ ଭାବରେ ସେ ସରକାରଙ୍କୁ ସମଲୋଚନା କରୁଥିବା ଅଭିଯୋଗକୁ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି,  ‘ମୁଁ ପଦବୀ ପଛରେ ଦୌଡ଼ୁନାହିଁ। ଭଗବାନଙ୍କ ଦୟାରୁ ମୋ ପରିବାର ବେଶ୍ ସ୍ୱଚ୍ଛଳ। ମୁଁ ଗରିବଙ୍କ ପାଇଁ ରାଜନୀତିକୁ ଆସିଛି ଏବଂ ଯେଉଁଠି ଅନ୍ୟାୟ ହେବ, ସେଠାରେ ଖୋଲାଖୋଲି କହିବି।’