ପାଟନା, ୨୬।୦୭ : ବିହାର ବନ୍ଦ ବେଳେ ପୋଲିସ ସହ ମୁହାଁମୁହିଁ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ଗିରଫ । ମାମଲାରେ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି । ଶନିବାର ବିଳମ୍ବିତ ରାତ୍ରରେ ତାଙ୍କୁ ଗିରଫ କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା । ଏହାପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ନିଟ୍ ପେପର ଲିକ୍ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ଆକ୍ରମଣକୁ ବିରୋଧ କରି ଶନିବାର ବିହାର ବନ୍ଦ ଡାକରା ଦିଆଯାଇଥିଲା । ତେଜ୍ ପ୍ରତାପ ବନ୍ଦ ସମର୍ଥନରେ ଛାତ୍ରଙ୍କ ସହ ରାମଗୁଲାମ ଛକରେ ପହଁଚିବା ସହ ରାସ୍ତାରେ ଧାରଣା ଦେଇଥିଲେ । ଏହାପରେ ପ୍ରଦର୍ଶନକାରୀ ଡାକବଙ୍ଗଳା ଛକ ଆଡେ ଶୋଭାଯାତ୍ରା ବାହାର କରିଥିଲେ । କିନ୍ତୁ ପ୍ରଦର୍ଶନୀ ପଥ ନିକଟରେ ସେମାନଙ୍କୁ ଅଟକ ରଖାଯାଇଥିଲା ।

Also Read :- ମହିଳା IICଙ୍କୁ ଦୁଷ୍କର୍ମ : ହୋଟେଲକୁ ଡାକି ଇଜ୍ଜତ ଲୁଟିଲେ ସବ୍ ଇନ୍ସପେକ୍ଟର, ଭିଡିଓ ରଖି ବ୍ଲାକମେଲିଂ...

ଏହି ଘଟଣା ପରେ ତେଜ ପ୍ରତାପ ସନ୍ଧ୍ୟାରେ ଏକ ସପିଂ ମଲ୍ ଯାଇଥିଲେ । ସେଠାରେ ପାଟନା ପୋଲିସର ଏକ ଟିମ୍ ପହଁଚିବା ସହ ତାଙ୍କୁ ଗିରଫ କରି ନେଇ ଆସିଥିଲା ।

ସୂଚନାଯୋଗ୍ୟ, ବିହାର ବନ୍ଦ ବେଳେ ବାମପନ୍ଥୀ ଛାତ୍ର ସଙ୍ଗଠନମାନେ ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅନେକ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଅନେକ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କିଛି ସ୍ଥାନରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । କିନ୍ତୁ ଆଉ କିଛି ସ୍ଥାନରେ ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା ।