ନୂଆଦିଲ୍ଲୀ, ୦୩/୧୦ :ରୋମାଞ୍ଚକର ମୁକାବିଲା । ଫାଇନାଲ୍ ମ୍ୟାଚ୍ । ଏସିଆନ୍ ଗେମ୍ସର ଚାପ । ଏସବୁ ମଧ୍ୟରେ ବାଜି ମାରିଛି ଭାରତ । ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲରେ ଦଳ ୧୯ ରନରେ ବିଜୟୀ ହୋଇ ସୁନା ପଦକ ହାସଲ କରିଛି । ବିଜୟ ସହ ନୂଆ ଇତିହାସ ଲେଖିଛି ଟିମ୍ ଇଣ୍ଡିଆ । ଅନ୍ୟ ଦିଗରେ ପାକିସ୍ତାନକୁ ରୌପ୍ୟରେ ଖୁସି ହେବାକୁ ପଡିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଓପନିଂ କରିବାକୁ ଆସି ବିସ୍ଫୋରକ ସଟ୍ ମାରିବା ଆରମ୍ଭ କରିଥିଲେ ଅଭିଷେକ ଏବଂ ବୈଭବ ସୂର୍ଯ୍ୟବଂଶୀ । ତେବେ ବୈଭବ ଶୀଘ୍ର ଆଉଟ୍ ହୋଇଥିଲେ । କିନ୍ତୁ ଅଭିଷେକଙ୍କ ବ୍ୟାଟ୍ ଚୁପ୍ ରହିନଥିଲା । ସେ ଛକା ଚଉକା ବର୍ଷା କରିଥିଲେ । ସେ ୨୮ ବଲରୁ ୬୧ ରନ୍ କରିଥିଲେ । ଏହି ଇନିଂସରେ ୩ ଚଉକା ଏବଂ ୭ ଛକା ସାମିଲ ଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ୍ ନିରାଶ କରିଥିଲେ । ସେ ମାତ୍ର ୨ ରନ୍ କରିଥିଲେ । ସେହିପରି ଶ୍ରେୟସ ଆୟର ଧିମା ପାଳି ଖେଳି ୨୧ ରନ୍ କରିଥିଲେ । ଇଶାନ କିଷାନ ୨୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଷ ଆଡ଼କୁ ତିଲକ ବର୍ମା ୫୧ଏବଂ ଶିବମ ଦୁବେ ୨୭ ସ୍କୋର କରିଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୨୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା ।

୨୧୨ ରନର ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇଥିଲା ପାକିସ୍ତାନ ।ଦଳର ଆରମ୍ଭ ଭଲ ହୋଇଥିଲେ ବି ଲଗାତାର ଓ୍ୱିକେଟ୍ ପତନ ହୋଇଥିଲା । କିନ୍ତୁ ସାୟିମ ଆୟୁବ ଏବଂ ହାସନ ନଓ୍ୱାଜ ପାଳିକୁ ସମ୍ଭାଳିଥିଲେ । ଆୟୁବ ୨୯ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ନଓ୍ୱାଜ ମଧ୍ୟ ବିସ୍ଫୋରକ ଅର୍ଧଶତକୀୟ ପାଳି ଖେଳିଥିଲେ । କିନ୍ତୁ ଏହା ବିଜୟ ପାଇଁ କାଫି ନଥିଲା । ଫଳରେ ପାକିସ୍ତାନ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୯୨ ରନ୍ କରିପାରିଥିଲା ।

ଭାରତ ପକ୍ଷରୁ ଅକ୍ଷର ପଟେଲ,ଶିବମ ଦୁବେ ଏବଂ ଓ୍ୱାଶିଂଟନ ସୁନ୍ଦର ଦୁଇଟି ଲେଖାଏଁଓ୍ୱିକେଟ୍ ଅକ୍ତିଆର କରିଥିଲେ ।