ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ପାକିସ୍ତାନରେ ଆନ୍ଦୋଳନ ମୁଣ୍ଡ ଟେକିଛି  । ଏହାକୁ ନେଇ ଇମ୍ରାନଙ୍କ ଦଳ ପିଟିଆଇର ଗଡ଼ ଭାବରେ ପରିଚିତ ଖାଇବର ପାଖତୁନଖ୍ୱାରେ ପାକିସ୍ତାନର ସରକାର ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି । କିନ୍ତୁ ଖାଇବର ପାଖତୁନଖ୍ୱାରେ ଶାହବାଜ ସରକାର ଏମର୍ଜେନ୍ସି ଲାଗୁ କରିବା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ନେଇ ଜଣାପଡ଼ିଛି । ଶାହବାଜ ଶରିଫ ଏବଂ ଦେଶର ସେନା ମୁଖ୍ୟ ଅସୀମ ମୁନିର ମିଶି ପାକିସ୍ତାନର ସାର୍ବଭୌମତ୍ବକୁ ବିକ୍ରି କରିଦେଇଥିବା ଅଭିଯୋଗ ହେଲାଣି । ଆମେରିକା ସହ ଡିଲ୍‌ କରିବାକୁ ଯାଇ ସେମାନେ ଖାଇବର ପାଖତୁନଖ୍ୱାରେ ଏହି ଏମର୍ଜେନ୍ସି ଲାଗୁ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆମେରିକୀୟ କମ୍ପାନୀ ଖାଇବର ପାଖତୁନଖ୍ୱାରେ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି ।  ପୂର୍ବରୁ ପାକିସ୍ତାନରେ ଖଣିଜ ପଦାର୍ଥ ଖନନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଫର ଦେଇଥିଲେ । ସେପଟେ ଖାଇବର ପାଖତୁନଖ୍ୱାରେ ଏମର୍ଜେନ୍ସି ଲାଗୁ ହେବା ପୂର୍ବରୁ ଆମେରିକୀୟ ଚାର୍ଜ ଡି'ଅଫେୟାର୍ସ ନତାଲି ଏ. ବେକର ପାକିସ୍ତାନର ଖଣି କ୍ଷେତ୍ରର ବିକାଶ ପାଇଁ ୱାଶିଂଟନର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। 

ପାକିସ୍ତାନର ଖଣି ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଆମେରିକା ସରକାର ସାହାଯ୍ୟ କରୁଛନ୍ତି । ଏଥିରୁ ୱାଶିଂଟନର ବ୍ୟାପକ ସ୍ୱାର୍ଥ କଥା ସ୍ପଷ୍ଟ ହେଉଛି । ଅକ୍ଟୋବର ୧୧ ତାରିଖରେ ଖାଇବର ପାଖତୁନଖ୍ୱା ପ୍ରଦେଶରେ ଏକର୍ଜେନ୍ସି ଲାଗୁ କରାଯାଇଥିଲା। ଏହା ସହିତ ଇମ୍ରାନ ଖାନଙ୍କ ଦଳ PTI ର ନିର୍ବାଚିତ ପ୍ରାଦେଶିକ ସରକାରକୁ ନିଲମ୍ବିତ କରାଯାଇଥିଲା ।  ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା PTI ର ବରିଷ୍ଠ ନେତା ସୋହେଲ ଅଫ୍ରିଦିଙ୍କୁ ସୁରକ୍ଷା ବାହିନୀ ଅଟକ ରଖିଥିଲା। 

ପାକିସ୍ତାନ ସରକାର ଦାବି କରିଥିଲେ ଯେ, ଉଗ୍ରବାଦୀଙ୍କୁ ଦମ ପାଇଁ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । କିନ୍ତୁ ବଲୁଚିସ୍ତାନ ମାମଲାରେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର କିଛି ଦିନ ମଧ୍ୟରେ, ଖାଇବର ପାଖତୁନଖ୍ୱା ଗଭର୍ଣ୍ଣର ଫୈସଲ କରିମ କୁଣ୍ଡି ବିଦେଶୀ କମ୍ପାନୀଗୁଡ଼ିକୁ ଏହି ପ୍ରଦେଶର ଖଣି କ୍ଷେତ୍ରରେ ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। କୁଣ୍ଡି କହିଛନ୍ତି, ‘ଆମ ପ୍ରଦେଶ ପ୍ରଚୁର ଖଣିଜ ସମ୍ପଦରେ ସମୃଦ୍ଧ । ଲୋକଙ୍କ ଆର୍ଥିକ ସମୃଦ୍ଧି ପାଇଁ ଆମେ ଅନେକ ବିଦେଶୀ ଚୁକ୍ତି ମଧ୍ୟ କରିବୁ।’ ତେବେ ପାକିସ୍ତାନ ସରକାର ଖାଇବର ପାଖତୁନଖ୍ୱାରେ ଖଣିଜ ଖନନ ଏମର୍ଜେନ୍ସି ଲାଗୁ କରିଥିବା କୁହାଯାଉଛି ।