ସ୍କୁଲ ଶିକ୍ଷାର ମନ୍ଦିର। ମଣିଷ ତିଆରି କାରଖାନା। ଯେଉଁଠି ଗଢ଼ାହୁଏ କୋମଳମତୀ ପିଲାଙ୍କ ସୁନ୍ଦର ଭବିଷ୍ୟତ। ଆମ ସଂସ୍କୃତି କହେ— ‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ , ଗୁରୁ ଦେବୋ ମହେଶ୍ୱରଃ। ଯେଉଁ ମାଟିରେ ଗୁରୁଙ୍କ ପାଦଧୂଳି ନେଇ ଦିନଟିଏ ଆରମ୍ଭ ହୁଏ, ଯେଉଁ ମାଟିରେ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଏ, ଆଜି ସେହି ମାଟିରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆଖିରୁ ଲୁହ ଏବଂ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଓଡ଼ିଶାର ଏକ ବିଦ୍ୟାଳୟ ପରିସରରେ ଯାହା ଘଟିଛି, ତାହା କେବଳ ଜଣେ ଶିକ୍ଷକଙ୍କ ପ୍ରତି ଅପମାନ ନୁହେଁ, ବରଂ ସଭ୍ୟ ସମାଜ ପାଇଁ ଗୁରୁତର ଅପରାଧ ଆଉ ଘୋର ଅପମାନ।

ଜଣେ ଅଭିଭାବକ। ଯାହାଙ୍କୁ ସମାଜ ଜଣେ ଦାୟିତ୍ୱବାନ ବ୍ୟକ୍ତି ବୋଲି ଭାବେ। ହେଲେ ଏ କଲେ କଣ? ସେ ସମସ୍ତ ସୀମା ପାର୍ କରିଯାଇଛନ୍ତି। ଦେହରେ ପୋଷାକ ନାହିଁ, ମୁହଁରେ ଭଦ୍ରତା ନାହିଁ। କୋମଳମତି ଶିଶୁମାନଙ୍କ ସାମ୍ନାରେ ସେ ସ୍କୁଲ୍ ଭିତରକୁ ଧସେଇ ପଶୁଛନ୍ତି। ଜଣେ ଶିକ୍ଷକଙ୍କୁ ଆଙ୍ଗୁଠି ଦେଖାଇ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଖୋଲା ଧମକ ଦେଉଛନ୍ତି। ଭିଡିଓରେ ବି ଶୁଣାଇବା କଷ୍ଟକର।

ଘଟଣାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଶୁକଳ ତୃତୀୟ ଦେବ ବିଦ୍ୟାପୀଠର। ସ୍କୁଲରେ ଜଣେ ଛାତ୍ରଙ୍କୁ ଶିକ୍ଷକ ଜଣକ ଚାପୁଡା ମାରିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଭିଭାବକ ଫଁ ଫଁ। ସ୍କୁଲକୁ ଆସିଲେ ଦାଦାଗିରି ଦେଖାଇଲେ। ମୋ ପୁଅ କୁ କାହିଁକି ଚାପୁଡ଼ା ମାରିଲୁ… ମାରିଦେବି ତତେ… ବିଦ୍ୟାଳୟ କାର୍ଯ୍ୟଳୟ ଭିତରେ ପଶି କ୍ରୀଡା ଶିକ୍ଷକଙ୍କୁ ହତ୍ୟା ଧମକ ଦେଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ବିଶ୍ୱାସ ହେଉନାହିଁ ଯେ ଏହା ଏକ ଜ୍ଞାନର ମନ୍ଦିର, ଯେଉଁଠି ପିଲାମାନେ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି, ସେହି ଛୋଟ ଛୋଟ ପିଲାଙ୍କ ଆଖି ଡରରେ ଚାହିଁ ରହିଛି, ଯେଉଁ ଗୁରୁ ସେମାନଙ୍କୁ ଦୁନିଆର ସବୁଠୁ ବଡ଼ ସାହସ ଦିଅନ୍ତି, ସେହି ଗୁରୁ ଆଜି ସେମାନଙ୍କ ସାମ୍ନାରେ ଅସହାୟ ଭାବେ ଅପମାନିତ ହେଉଛନ୍ତି।

ଏବେ ନିଜ ବିବେକକୁ ପଚାରନ୍ତୁ। ଆମେ କେଉଁ ସମାଜ ଆଡ଼କୁ ଗତି କରୁଛେ? ଯଦି ଶିକ୍ଷକଙ୍କ କୌଣସି ଭୁଲ୍ ଥିଲା, ଯଦି ପାଠପଢ଼ାରେ କୌଣସି ଅଭିଯୋଗ ଥିଲା, ତେବେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରାଯାଇପାରିଥାନ୍ତା। ଆଇନର ଆଶ୍ରୟ ନିଆଯାଇପାରିଥାନ୍ତା। କିନ୍ତୁ ଶିକ୍ଷକଙ୍କ ଉପରେ ଏଭଳି ମାନସିକ ଅତ୍ୟାଚାର ଏବଂ ସର୍ବସମ୍ମୁଖରେ ତାଙ୍କୁ ଲାଞ୍ଛିତ କରିବା କେଉଁ ପ୍ରକାରର ମାନସିକତା? ଭୟରେ ମୁହଁ ଖୋଲୁନାହାନ୍ତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀସତ୍ୟବାଦୀ ବ୍ଲକ ଶିକ୍ଷା ଅଧକାରୀ କହିଛନ୍ତି- ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯାଇଛି। ଖୁବ ଶୀଘ୍ର ହେବ ଏହି ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ।

କିନ୍ତୁ ଏହି ଘଟଣା ସେହି ସମସ୍ତ ଶିକ୍ଷକ ସମାଜ କଷ୍ଟ ଦେଇଛି, ଯେଉଁମାନେ ନିଜର ସୁଖ-ଦୁଃଖ ଭୁଲି ଦେଶର ଭବିଷ୍ୟତ ଗଢ଼ିବାରେ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ଆଜି ସେହି ଶିକ୍ଷକ ଜଣକ ନିଜ ଘରକୁ ଯାଇ ପରିବାର ଆଗରେ କେମିତି ମୁହଁ ଦେଖାଇବେ? ତାଙ୍କ ମନ ଉପରେ ଯେଉଁ ଆଘାତ ଲାଗିଛି, ତାହାର ଭରଣା କଣ କେବେ ହୋଇପାରିବ? ପ୍ରଶାସନ ନିକଟରେ କେବଳ ଗୋଟିଏ ନିବେଦନ- ଏଭଳି ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯେମିତି ଆଗକୁ କୌଣସି ବ୍ୟକ୍ତି ଜଣେ ଗୁରୁଙ୍କ ଆଡ଼କୁ ଆଙ୍ଗୁଠି ଉଠାଇବା ପୂର୍ବରୁ ହଜାରେ ଥର ଭାବିବ।

ବିଦ୍ୟାଳୟ ହେଉଛି ପବିତ୍ର ଅନୁଷ୍ଠାନ। ଯଦି ସେଠାରେ ଶିକ୍ଷକ ସୁରକ୍ଷିତ ନୁହନ୍ତି, ତେବେ ଆମ ପିଲାମାନଙ୍କର ସଂସ୍କାର କେଉଁଠୁ ଆସିବ? ଜଣେ ଗୁରୁଙ୍କ ପ୍ରତି ଏଭଳି ନିନ୍ଦନୀୟ ବ୍ୟବହାରକୁ ଆପଣ ସହଜରେ ଗ୍ରହଣ କରିପାରୁଛନ୍ତି କି? ଏହି ଘଟଣା ଉପରେ ଆପଣଙ୍କର ମତ କ’ଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।