ନୂଆଦିଲ୍ଲୀ, ୧୦।୧୧ : ଆସନ୍ତାବର୍ଷ ୨୦୨୭ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନ କମିଶନ ଏଥିପାଇଁ ଆସନ୍ତାବର୍ଷ ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଏହି ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ।

ସୂଚନା ଅନୁସାରେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ଭାଗରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ (ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନର) ଏସବୁ ରାଜ୍ୟ ଗସ୍ତରେ ଯିବେ। ସେଠାରେ ପ୍ରସ୍ତୁତିର ସମୀକ୍ଷା କରି ଫେରିବା ପରେ ତାରିଖ ଘୋଷଣା କରିବେ। ଏହା ପୂର୍ବରୁ ଡିଇସି ସ୍ତରୀୟ ପରିଦର୍ଶନ ଜାରି ରହିଛି। ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଛି। ଉତ୍ତରପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଥିଲା ବେଳେ ଆଉ ଏକ ପର୍ଯ୍ୟାୟ ରହିଛି।

Also Read :- ନ୍ୟୁଜ୍ ଆଙ୍କରଙ୍କୁ ଗୁଳି କରି ହତ୍ୟା : ବେଡରୁମରୁ ମିଳିଲା ମୃତଦେହ

ଗୋଆରେ ଏପର୍ଯ୍ୟନ୍ତ ଡିଇସି ସ୍ତରୀୟ ପରିଦର୍ଶନ ଆଦୌ ଆରମ୍ଭ ହୋଇଛି। ଡିଇସି ସ୍ତରୀୟ କମିଟିର ପରିଦର୍ଶନ ଶେଷ ହେବା ପରେ ସେମାନେ ତାଙ୍କ ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦେବେ। ଏହା ପରେ ପୂର୍ଣ୍ଣାଙ୍ଗ କମିଶନ ଉପରୋକ୍ତ ରାଜ୍ୟ ଗସ୍ତ କରିବେ । ଡିଇସି ସ୍ତରୀୟ ପରିଦର୍ଶନରେ ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସ୍ପିଙ୍କ ସହିତ ସମୀକ୍ଷା କରିବେ । ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ଥିବା ବେଳେ ଉତ୍ତରପ୍ରଦେଶରେ ଏକାଧିକ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇପାରେ। କିନ୍ତୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ ।