ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡୁ ପୁଣି ଥରେ ବଡ଼ ମୂଲ୍ୟର ମୁଦ୍ରାକୁ ପ୍ରଚଳନରୁ ବାହାର କରିବା ପାଇଁ ତାଙ୍କ ଦାବିକୁ ଜୋରଦାର କରିଛନ୍ତି। ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦୁର୍ନୀତି ଉପରେ ଲଗାମ ଲଗାଇବାକୁ ଓ ନଗଦ ନେଣଦେଣକୁ ଛୋଟ ରାଶି ମଧ୍ୟରେ ସୀମିତ କରିବାକୁ ୫୦୦ ଟଙ୍କା ନୋଟ୍ କୁ ମଧ୍ୟ ବନ୍ଦ କରିଦିଆଯିବା ଦରକାର। ତେଲଗୁ ଦେଶମ ପାର୍ଟି ମୁଖ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେ ତାଙ୍କର ଦାବି ଆଗକୁ ମଧ୍ୟ ଜାରି ରଖିବେ।

ସେ କହିଛନ୍ତି ଯେ ୫୦୦, ୧୦୦୦ ଓ ୨,୦୦୦ ଟଙ୍କାର ମୁଦ୍ରାକୁ ପ୍ରଚଳନରୁ ବାହାର କରିଦିଆଯିବା ଦରକାର। ଦେଶରେ କେବଳ ୧୦୦ ଓ ୨୦୦ ଟଙ୍କାର ମୁଦ୍ରା ପ୍ରଚଳିତ ହେଲେ ଭଲ। ସେ ତର୍କ ଦେଇଛନ୍ତି ଯେ ବଡ଼ ମୂଲ୍ୟର ମୁଦ୍ରା ପ୍ରଚଳନରେ ରହିଲେ ଅବୈଧ ଗତିବିଦ୍ଧି ଓ ଦୁର୍ନୀତି କାମରେ ବିପୁଳ ପରିମାଣରେ ନଗଦ ଉପଯୋଗ କରିବା ଅସମ୍ଭବ ଅଥବା କଠିନ ହେବ। ସେ ଆର୍ଥିକ ଅବସରକୁ ଭଲ କରିବା ଓ ବିକାଶର ଗତିକୁ ଦ୍ରୁତ କରିବା ଲାଗି ଟେକ୍ନୋଲଜିର ଉପଯୁକ୍ତ ଉପଯୋଗ ଉପରେ ଜୋର ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ଠିକ୍ ଭାବେ ଟେକ୍ନୋଲଜିର ଉପଯୋଗ ହୁଏ ତେବେ ଦେଶରେ ଧନ ସୃଜନ ଓ ଦାରିଦ୍ର୍ୟ ଦୂର କରିବା ବେଶି କଷ୍ଟକର ହେବ ନାହିଁ। ସେ ଏହା ବି କହିଛନ୍ତି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦେଇଥିବା ଡିଜିଟାଲ ମୁଦ୍ରା ସମ୍ପର୍କିତ ରିପୋର୍ଟରେ ମଧ୍ୟ ଏହି ପ୍ରସ୍ତାବ ରଖିଥିଲେ। ସାମ୍ବାଦିକ ସମ୍ମିଳନୀରେ ନାୟଡୁ ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ଏହି ସବୁ ନିର୍ବାଚନର ଫଳାଫଳ ଏ କଥାର ପ୍ରମାଣ ହେବ ଯେ ରାଜ୍ୟରେ ଏନଡିଏ ପ୍ରତି ଜନତାଙ୍କ ସମର୍ଥନ ଲଗାତାର ବଢୁଛି।

ଏହା ସହିତ ସେ ଦାବି କରିଛନ୍ତି ଯେ ମେଣ୍ଟ ଏହି ନିର୍ବାଚନରେ ମନି ପାୱାରର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରିତ ଓ କମ କରିବାରେ ସଫଳ ହୋଇଛି। ସେ ଦେଇଥିବା ତଥ୍ୟ ଅନୁସାରେ ଏନଡିଏ ସହରାଞ୍ଚଳ ପୌର ଓ ପରିଷଦ ନିର୍ବାଚନରେ ମୋଟ ମିସାଇ ୫୮.୯% ଭୋଟ ହାସଲ କରିଛି। ଏହି ତଥ୍ୟ ୨୦୨୪ସାଧାରଣ ନିର୍ବାଚନରେ ମିଳିଥିବା ୫୫.୩% ଭୋଟ ଠାରୁ ୩.୬% ଅଧିକ। ଏହାର ବିପରୀତ ମୁଖ୍ୟ ବିରୋଧୀ ଦଳ ୱାଇଏସଆରସିପି ଭୋଟ ସେୟାର ୨୦୨୪ର ୩୯.୮୧%ରୁ ହ୍ରାସ ହୋଇ ପୌର ଓ ପରିଷଦ ନିର୍ବାଚନରେ ମାତ୍ର ୩୩.୫୬%କୁ ପହଞ୍ଚି ଯାଇଛି। ଏହା ୬.୨୫ ପ୍ରତିଶତର ଭାରି ହ୍ରାସକୁ ଦର୍ଶାଉଛି। ନାୟଡୁ କହିଛନ୍ତି ଯେ ଏବେ ଶାସକ ଓ ବିରୋଧୀ ଦଳର ଭୋଟ ସେୟାର ମଧ୍ୟରେ ଅନ୍ତର ପାଖାପାଖି ୨୫.୩୪%ରୁ ଅଧିକ ହୋଇଛି।