ପାଣାଜୀ: ‘ତେହଲକା'ର ପୂର୍ବତନ ସମ୍ପାଦକ-ଇନ୍-ଚିଫ୍ ତରୁଣ ତେଜପାଲ ୨୦୧୩ ଯୌନ ନିର୍ଯାତନା ମାମଲାରେ ସୋମବାର ଗୋଆର ମାପୁସା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନର ଶୁଣାଣି ପୂର୍ବରୁ ସେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ସୁପ୍ରିମକୋର୍ଟ ତାଙ୍କର ଗିରଫଦାରୀରୁ ରିହାତି ଦେବାକୁ ମନା କରିବା ସହ ଯାଚିକାକୁ ଖାରଜ କରି ୩ ସପ୍ତାହ ମଧ୍ୟରେ ଅଦାଲତରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

୨୦୧୩ର ଲୋମହର୍ଷଣକାରୀ ଘଟଣା

ଘଟଣାଟି ୨୦୧୩ ନଭେମ୍ବର ମାସର। ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍ଟ ଭିତରେ ଜଣେ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତରୁଣ ତେଜପାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ୨୦୧୩ ନଭେମ୍ବର ୩୦ରେ ତାଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ।

Also Read: 

ସୁପ୍ରିମକୋର୍ଟରେ ଜୋରଦାର ଯୁକ୍ତି

ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ଯେ, ଆତ୍ମସମର୍ପଣ କରିବା ପୂର୍ବରୁ ତାଙ୍କର ଆବେଦନ ଉପରେ ଶୁଣାଣି କରାଯାଉ। ଅପରପକ୍ଷରେ ଗୋଆ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାର ଦୃଢ଼ ବିରୋଧ କରିଥିଲେ। ସେ ଦର୍ଶାଇଥିଲେ ଯେ ଏହା ଏକ ଗମ୍ଭୀର ଦୁଷ୍କର୍ମ ମାମଲା ଏବଂ ହାଇକୋର୍ଟ ତାଙ୍କୁ ୧୦ ବର୍ଷର ଜେଲ୍ ଦଣ୍ଡ ଦେଇସାରିଛନ୍ତି, ତେଣୁ ନିୟମ ଅନୁଯାୟୀ ପ୍ରଥମେ ଆତ୍ମସମର୍ପଣ କରିବା ବାଧ୍ୟତାମୂଳକ।

୨୨ ସେପ୍ଟେମ୍ବରରେ ସୁପ୍ରିମ୍ କୋର୍ଟରେ ପରବର୍ତ୍ତୀ ଶୁଣାଣି

ଜଷ୍ଟିସ ଆଲୋକ ଅରାଧେଙ୍କ ଏକକ ପୀଠ ତେଜପାଲଙ୍କ ସରେଣ୍ଡର ଛାଡ଼ ଯାଚିକାକୁ ନାକଚ କରି ୩ ସପ୍ତାହ ସମୟ ଦେଇଥିଲେ। ବର୍ତ୍ତମାନ ତେଜପାଲ ମାପୁସା କୋର୍ଟରେ ସରେଣ୍ଡର କରିସାରିଥିବାରୁ, ଏହି ଆତ୍ମସମର୍ପଣ ପ୍ରମାଣପତ୍ର ଜମା ହେବା ପରେ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ତାଙ୍କର ଆବେଦନ ସେପ୍ଟେମ୍ବର ୨୨ ତାରିଖରେ ସୁପ୍ରିମ୍ କୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ।