ଚେନ୍ନାଇ: ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି। ଅନ୍ୟପଟେ ତାମିଲନାଡ଼ୁ ରାଜନୀତି କଡ଼ ଲେଉଟାଇବା ଆରମ୍ଭ କରିଛି। ପରସ୍ପରର ଚିର ପ୍ରତିଦ୍ଵନ୍ଦ୍ଵୀ ଥିବା ଡିଏମକେ ଓ ଏଆଇଏଡିଏମକେ ଏକାଠି ଆସି ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ୧୯୭୨ ମସିହାରେ DMK ରୁ ଅଲଗା ହୋଇ MGR ଏଆଇଏଡିଏମକେ ଗଢ଼ିବା ପରଠାରୁ ଏହି ଦୁଇ ଦଳ ମଧ୍ୟରେ ଘୋର ଶତ୍ରୁତା ରହିଆସିଛି। କିନ୍ତୁ ବିଜୟଙ୍କ ଉତ୍ଥାନ ଏବେ ଏହି ସମୀକରଣ ବଦଳାଇ ଦେଇଛି।

Also Read: ‘ବରଖାସ୍ତ କରିବାର ଅଛି କର, ହେଲେ ଇସ୍ତଫା ଦେବିନି, ସୁପ୍ରିମକୋର୍ଟରେ ହେବ ଲଢେଇ’- ମମତା

ବିଜୟ ରାଜ୍ୟପାଳଙ୍କୁ ଭେଟି ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିବା ପତ୍ର ପ୍ରଦାନ କରିଥିଲେ। କିନ୍ତୁ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୮। ରାଜ୍ୟପାଳ ଆଇନଗତ ପରାମର୍ଶ ଲୋଡ଼ିବା ସହ ବିଜୟଙ୍କୁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ସହ ପୁଣିଥରେ ଆସିବାକୁ କହିଛନ୍ତି। କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ଵେ ବିଜୟ ବହୁମତଠାରୁ ୬ଟି ଆସନ ଦୂରରେ ଅଛନ୍ତି। ବହୁମତ ପାଇଁ ବିଜୟ ରାଜ୍ୟପାଳଙ୍କଠୁ ଆଉ କିଛି ସମୟ ମାଗିଛନ୍ତି।

ସମର୍ଥନ ଦେବାକୁ ମନା କଲା ଏଆଇଏଡିଏମକେ

ଭିସିକେ ଡିଏମକେ ସହିତ ମେଣ୍ଟ କରି ନିର୍ବାଚନ ଲଢିଥିଲା। ଚର୍ଚ୍ଚା ଚାଲିଥିଲା ଯେ, ଟିଭିକେର ସରକାର ପାଇଁ ଭିସିକେ ବିଜୟଙ୍କୁ ସମର୍ଥନ ଦେଇପାରେ। କ୍ଷମତାରେ କାହାକୁ ସମର୍ଥନ ଦେବାର ଅଛି, ଏହାକୁ ନେଇ ଭିସିକେ ଆସନ୍ତାକାଲି ବୈଠକ ଡକାଇଥିଲା। ମାତ୍ର ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହେବା ନେଇ ଅଟକଳ ସମୟରେ ଭିସିକେ ନିଜର ବୈଠକ ରଦ୍ଦ କରି ଦେଇଛି। ଏହା ପୂର୍ବରୁ ଟିଭିକେର ନିମନ୍ତ୍ରଣ ସତ୍ତ୍ଵେ ବାମପନ୍ଥୀ ଦଳ ଓ ଆଇୟୁଏମଏଲ ନିଜର ସମର୍ଥନ ଦେବାକୁ ମନା କରି ଦେଇଛନ୍ତି। ଏଆଇଏଡିଏମକେ ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ମଧ୍ୟ ମନା କରି ଦେଇଛି।

Also Read: ବିଜୟଙ୍କ TVK ଦଳରେ ସାମିଲ ହେବେ କି ତ୍ରିଶା? ତିରୁଚିରୁ ଲଢ଼ିପାରନ୍ତି ଉପ-ନିର୍ବାଚନ

ସଂଖ୍ୟା ଗଣିତର ଜଟିଳତା

TVK ୧୦୮ ଆସନ ଜିତିଥିଲେ ମଧ୍ୟ ବହୁମତ (୧୧୮) ପାଇଁ ଆହୁରି ୧୦ଟି ଆସନ ଦରକାର।ଯଦି DMK ଏବଂ AIADMK ଏକାଠି ହୁଅନ୍ତି, ତଥାପି ସେମାନଙ୍କର ମୋଟ ସଂଖ୍ୟା ୧୦୬ ହେବ, ଯାହା ବହୁମତଠାରୁ କମ୍। ଏପରି ପରିସ୍ଥିତିରେ ସେମାନଙ୍କୁ ମଧ୍ୟ ଛୋଟ ଦଳଙ୍କ ସହାୟତା ନେବାକୁ ପଡ଼ିବ। ତାମିଲନାଡୁ ଇତିହାସରେ ଏହା ଏକ ବିରଳ ଘଟଣା। ଯଦି DMK ଏବଂ AIADMK ଏକାଠି ହୁଅନ୍ତି, ତେବେ ଏହା ଭାରତୀୟ ରାଜନୀତିର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଖବର ହେବ।

ସୂଚନାଯୋଗ୍ୟ, ଅଭିନେତାରୁ ନେତା ପାଲଟି ତାମିଲନାଡୁ ରାଜନୀତିର ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଥିବା ଥାଲାପତି ବିଜୟଙ୍କ ପାର୍ଟି ଟିଭିକେକୁ କଂଗ୍ରେସ ସମର୍ଥନ ଦେଇଛି। ଏହା ପରେ ବି ଦଳକୁ ମ୍ୟାଜିକ ନମ୍ବର ପାଇଁ ଆହୁରି ସଂଖ୍ୟାବଳ ଆବଶ୍ୟକତା ରହିଛି।ତେଣୁ ଆସନ୍ତାକାଲି ବିଜୟଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା କ୍ଷୀଣ ଲାଗୁଛି।