କୋଲକାତା: ​​​​​​​ ଡିସମିସ୍ କରିବାର ଅଛି ତ କର, କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବି ନିଜ ଜିଦରେ ଅଟଳ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯାହା ବି ହେଉ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବେ। ଗତକାଲିଠୁ ଜାରି ଆଲୋଚନା ଓ ସରଗରମ ମଧ୍ୟରେ ବୁଧବାର ମମତା କହିଛନ୍ତି, ସେମାନେ ମୋତେ ହଟାଇ ଦିଅନ୍ତୁ। ମୁଁ ଚାହୁଁଛି ଏହା ଏକ କଳା ଦିନ ହୋଇ ରହୁ। ନିଜ ବିଧାୟକଙ୍କ ସହ ଅନୁଷ୍ଠିତ ବୈଠକରେ ବାନାର୍ଜୀ କହିଛନ୍ତି ଯେ, ପାର୍ଟି ଏପ୍ରିଲ ୨୯ରୁ ଜାରି ନିର୍ବାଚନୀ ହିଂସା ବିରୋଧରେ କୋର୍ଟ ଯିବେ।

ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବି

୨୦୨୬ ନିର୍ବାଚନ ପରିଣାମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମମତା ନିଷ୍ପତ୍ତି ନେଇଛନ୍ତି। ବିଜେପି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ସେ ନିର୍ବାଚନୀ ଅନିୟମିତତାର ଗୁରୁତର ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି ଯେ ସେ ଏବଂ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପୁଣିଥରେ କୋର୍ଟରେ ଓକିଲାତି ଆରମ୍ଭ କରିବେ ଏବଂ ନିର୍ବାଚନୀ ଲଢ଼େଇକୁ ଆଇନଗତ ଭାବେ ଜାରି ରଖିବେ। ନିଜ ନିଷ୍ପତ୍ତିରେ ଅଟଳ ରହି ମମତା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ। ଏହି ଜନମତକୁ "ଚୋରି କରାଯାଇଥିବା ମାଣ୍ଡେଟ" ବୋଲି କହି ସେ ପଦରେ ରହି ପ୍ରତିବାଦ କରିବେ।

Also Read: ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ, ରାଜ୍ୟପାଳ କହିଲେ- ୧୧୮ ବିଧାୟକଙ୍କ ଦଖସ୍ତତ ଆଣନ୍ତୁ

ରାଷ୍ଟ୍ରପତି ଶାସନ ପାଇଁ ଚ୍ୟାଲେଞ୍ଜ

ମମତା ସ୍ପଷ୍ଟ କରିଛନ୍ତି ଯେ ଯଦି କେନ୍ଦ୍ର ସରକାର ଚାହାଁନ୍ତି, ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି। ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ନେତାମାନଙ୍କୁ ନିଜ ପଦରୁ ଇସ୍ତଫା ନଦେବାକୁ କହିଛନ୍ତି। ପଦବୀରେ ରହିବା ହିଁ ଏହି "ରିଗିଂ" ବିରୋଧରେ ପ୍ରକୃତ ପ୍ରତିବାଦ ହେବ ବୋଲି ଅଭିଷେକ କହିଛନ୍ତି।

ମେ ୯ରେ ରବୀନ୍ଦ୍ର ସଙ୍ଗୀତ

ଅନ୍ୟପଟେ ମେ ୯ରେ କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନ ସବୁ TMC ପାର୍ଟି ଅଫିସରେ ରବୀନ୍ଦ୍ର ସଙ୍ଗୀତ ବଜାଇବାକୁ ମମତା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ କହିଛନ୍ତି।

Also Read: ‘ଗୋଇଠା ମାରିଲେ, ସିସିଟିଭି ମଧ୍ୟ ବନ୍ଦ କରିଦେଲେ’, ଭୋଟ ଗଣତି ମଧ୍ୟରେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ