ଚେନ୍ନାଇ: ତାମିଲନାଡୁ ସରକାରଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ନିବେଶ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆନ୍ଧ୍ରପ୍ରଦେଶକୁ ଲିକ୍ ହୋଇଛି। ଏହି ଅଭିଯୋଗରେ ଜୋସେଫ ବିଜୟ ସରକାର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଏହି ଘଟଣା ପରେ ତାମିଲନାଡୁ ନିବେଶ ପ୍ରୋମୋସନ ଏଜେନ୍ସି ‘ଗାଇଡାନ୍ସ ତାମିଲନାଡୁ’ ସରକାରଙ୍କର ସନ୍ଦେହ ଘେରକୁ ଆସିଛି। କାରଣ ବରଖାସ୍ତ ହୋଇଥିବା ଅଧିକାରୀମାନେ ଏହି ଏଜେନ୍ସିର ଥିଲେ। ବର୍ତ୍ତମାନ ମାମଲାରେ ତଦନ୍ତ ଜାରି ରହିଛି।

ତେବେ ଏହି ବିବାଦ ବର୍ତ୍ତମାନ ରାଜନୈତିକ ରୂପ ନେଇଛି। କାରଣ ବହିସ୍କାର କରାଯାଇଥିବା ଏହି ଅଧିକାରୀମାନଙ୍କ ମଧ୍ୟରୁ କିଛିଙ୍କୁ ପୂର୍ବର ଏଆଇଡିଏମକେ ସରକାର ନିଯୁକ୍ତ କରିଥିଲେ। ଏବଂ ଡିଏମକେ ସରକାର ଆସିବା ପରେ ମଧ୍ୟ ସେମାନଙ୍କୁ ଉକ୍ତ ସ୍ଥାନରେ ରଖାଯାଇଥିଲା। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ନିବେଶ ହାତେଇବା ନେଇ ଟଣାଓଟରା ଜାରି ରହିଥିବା ବେଳେ ଏଭଳି ଘଟଣା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।

Also Read- ଆଗାମୀ ବିଧାନସଭା ନିର୍ବାଚନ ଲଢିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା, କହିଲେ ରାଜନୀତିରୁ ଦୂରେଇବାର କାରଣ

ନିକଟରେ କିଛି ନିବେଶ ପ୍ରକଳ୍ପ ତାମିଲନାଡୁ ଆସିବାର ଥିଲା, ହେଲେ ପରମୁହୂର୍ତ୍ତରେ ଏହା ଆନ୍ଧ୍ରଦେଶକୁ ଚାଲିଯାଇଥିଲା। ତେଣୁ ଏହି ନିବେଶ ତଥ୍ୟଗୁଡ଼ିକ ପଡ଼ୋଶୀ ରାଜ୍ୟକୁ ଲିକ୍ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ରିପୋର୍ଟ ଅନୁସାରେ ରାଜ୍ୟ ଶିଳ୍ପ ବିଭାଗ ଅଧୀନରେ କାମ କରୁଥିବା ଏକ ଟିମ ଏହି ଘଟଣାର ସୁରାକ ପାଇଥିଲା। ଏହି ଟିମ୍ ନିବେଶ ପ୍ରୋମୋସନ ଏଜେନ୍ସି ‘ଗାଇଡାନ୍ସ ତାମିଲନାଡୁ’ର କାମ ବୁଝାସୁଝା କରିଥାଏ।

ଲିକ୍ ହୋଇଥିବା ତଥ୍ୟରେ ରାଜ୍ୟରେ ନିବେଶକୁ ସହଜ କରିବା ପାଇଁ ଜୋସେଫ ସରକାର କେଉଁସବୁ ପଦକ୍ଷେପ ନେବେ ଏହାର ସମ୍ବେଦନଶୀଳ ସୂଚନା ରହିଛି। ଏଥିରେ ତାମିଲନାଡୁ ସରକାର ଏବଂ ରାଜ୍ୟରେ ନିବେଶ କରିବାକୁ ଚିନ୍ତା କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ପାର୍ଟନର୍ସିପ କରାଯାଇଥିବା ବିବରଣୀ ସାମିଲ ଥିଲା। ତେବେ ଏହି ସୂଚନା ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି।

Also Read- TVK ବିଧାୟକ ଭିଏସ୍ ବାବୁଙ୍କ ନିଧନ, ନିର୍ବାଚନରେ ଷ୍ଟାଲିନଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ

ଏହି ଅଭିଯୋଗ ଏଥିପାଇଁ ଗୁରୁତ୍ୱବହନ କରୁଛି କାରଣ ବରଖାସ୍ତ ଅଫିସରମାନଙ୍କ ମଧ୍ୟରୁ ୩ ଜଣ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ସରକାରରେ କାମ କରୁଛନ୍ତି। ତେଣୁ ତଥ୍ୟ ପଡ଼ୋଶୀକୁ ଯାଇପାରେ ବୋଲି ସନ୍ଦେହ ବଢ଼ିଛି। ତେବେ ଏଥିରେ ବଡ଼ ପ୍ରଶ୍ନ ଛିଡା ହୋଇଛି। ତାମିଲନାଡୁ ସରକାରଙ୍କର ନିବେଶ ବ୍ୟବସ୍ଥାକୁ ବ୍ୟାପକ ସ୍ଥରରେ ନଷ୍ଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ହୋଇପାରେ। ନହେଲେ ଶିଳ୍ପମନ୍ତ୍ରୀ ଏସ କୀର୍ଥାନାଙ୍କ ଡିପାର୍ଟମେଣ୍ଟକୁ ଟାର୍ଗେଟ୍ କରିବାକୁ ଏକ ଷଡ଼ଯନ୍ତ୍ର ରଚାଯାଉଥାଇପାରେ ବୋଲି ତାମିଲନାଡୁ ସରକାର ଚିନ୍ତା କରୁଛନ୍ତି।

ଅଭିଯୋଗକୁ ଆନ୍ଧ୍ରପ୍ରଦେଶର ଖଣ୍ଡନ

ତାମିଲନାଡୁରୁ ନିବେଶ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇବା ଅଭିଯୋଗକୁ ଆନ୍ଧ୍ରପ୍ରଦେଶ ସରକାର ଖଣ୍ଡନ କରିଛନ୍ତି। ଶାସକ ଦଳ ଟିଡିପିର ରାଜ୍ୟସଭାପତି ପାଲା ଶ୍ରୀନିବାସା ରାଓ ଅଭିଯୋଗକୁ ଖଣ୍ଡନ କରିବା ସହିତ ରାଜ୍ୟ ନିଜର ନିବେଶ ଉପଯୋଗୀ ପଲିସି ମାଧ୍ୟମରେ ନିବେଶକଙ୍କୁ ଆକୃଷ୍ଟ କରୁଛି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଅନ୍ୟ ରାଜ୍ୟର ନିବେଶ ପଲିସି ଉପରେ ନିର୍ଭରଶୀଳ ନୁହେଁ, ଆମେ ସବୁବେଳେ ଏକ ସୁସ୍ଥ ପ୍ରତିଯୋଗିତା ଉପରେ ବିଶ୍ୱାସ କରି ଆସୁଛୁ। ଅନ୍ୟ କୌଣସି ରାଜ୍ୟ ସହିତ ପ୍ରତିଯୋଗିତା କରିବାର ଚିନ୍ତାଧାରା ଆମର ନଥାଏ। ଆମେ କେବଳ ନିବେଶ ଆକୃଷ୍ଟ କରିବା ପଲିସି ଉପରେ କାମ କରିଥାଉ।

ତେବେ ସବୁଠାରୁ ବଡ଼କଥା ହେଲା ଏହି ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ନା ଶାସକ ଧଳ ଟିଭିକେ ନା ମୁଖ୍ୟମନ୍ତ୍ରୀ ବିଜୟ ନିବେଶ ଯୋଜନା ଲିକ୍ ସମ୍ପର୍କରେ କୌଣସି କମେଣ୍ଟ କରି ନାହାନ୍ତି।