ମୈସୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ବୟସ ସମ୍ପର୍କିତ କାରଣରୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ମୈସୁରରେ ରିପୋର୍ଟରଙ୍କ ସହ ଆଳାପରେ ସେ କହିଛନ୍ତି ଯେ ଏବେ ମୋତେ ୮୦ ବର୍ଷ, ସମର୍ଥକମାନେ ମୋତେ ଆଗାମୀ ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି। ହେଲେ ମୁଁ ଆଉ ଆଗ ଭଳି ଚଲାଫେରା କରିପାରୁନିଏହି କାରଣରୁ ମୁଁ ଆଗାମୀ ନିର୍ବାଚନ ଲଢିବି ନାହିଁ। ତେବେ କଂଗ୍ରେସରେ ତାଙ୍କୁ ସାଇଡଲାଇନ କରାଯାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଏଚ.ଡି.କୁମାର ସ୍ୱାମୀଙ୍କ ଦାବିକୁ ସେ ଅସ୍ୱୀକାର କରିଛନ୍ତି। ଏହି ପ୍ରସଙ୍ଗ ସେତେବେଳେ ଉଠିଛି ଯେତେବେଳେ ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ପୁସ୍ତ ଉନ୍ମୋଚନ ସମାରୋହରେ ତାଙ୍କୁ ପଞ୍ଚମ ଧାଡିରେ ବସିଥିବା ଦେଖା ଯାଇଛି।

ଏ ବାବଦେ ସିଦ୍ଦାରମୈୟା କହିଛନ୍ତି ଯେ ଦିଲ୍ଲୀରେ ସୋନିଆଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ସେ ବିଳମ୍ବରେ ପହଞ୍ଚିଥିଲେ। ଏଣୁ ଖାଲିଥିବା ଚୌକିରେ ବସି ଯାଇଥିଲି ବୋଲି ସେ କହିଛନ୍ତି। ମୋତେ ପଞ୍ଚାମ ଧାଡିରେ ଏଥି ପାଇଁ ବସିବାକୁ ପଡିଲା ଯେହେତୁ ମୁଁ ବିଳମ୍ବରେ ପହଞ୍ଚିଥିଲି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରତି ଅଣଦେଖା କରାଯାଇ ନାହିଁ ଓ ଏହି ପ୍ରସଙ୍ଗରେ ସେ ପୂର୍ବରୁ ସଫେଇ ଦେଇସାରିଛନ୍ତି। ଏହା ପୂର୍ବରୁ ସିଦ୍ଦାରମୈୟା ଏକ୍ସରେ ଏକ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ ମୁଁ ଦେଖିଛି ଅଲଗା ଅଲଗା ପାର୍ଟି ନେତା, ଗଣମାଧ୍ୟମ ଏବଂ ୱେବସାଇଟ ମାନଙ୍କରେ ମୋତେ ଚାହୁଁଥିବା ଲୋକେ ଏବେ ଏହି ଚର୍ଚ୍ଚା କରୁଛନ୍ତି ଯେ ମୋତେ କଂଗ୍ରେସ ପାର୍ଟିରେ ସାଇଡଲାଇନ କରାଯାଉଛି କି? କାରଣ ମୁଁ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ପଞ୍ଚମ ଧାଡିରେ ବସିଥିଲି।

ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇବା ପାଇଁ ମୁଁ ଏହି ସଫେଇ ଦେଉଛି। ଏଥି ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର ସିଦ୍ଦାରମୈୟାଙ୍କ ସହ ତାଙ୍କର ମତପାର୍ଥକ୍ୟ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ କିଛି ଲୋକେ ତାଙ୍କ ଓ ମୋ ମଧ୍ୟରେ ବିଦ୍ୱେଷ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ଏଥି ପାଇଁ ସେମାନେ ଏପରି ପ୍ରଚାର କରୁଛନ୍ତି। ଟାଉନ ହଲ ନିକଟରେ ଶିବକୁମାର କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କ ସହିତ ମୋର କୌଣସି ବଡ ଅଥବା ଛୋଟ ମତପାର୍ଥକ୍ୟ ହୋଇ ନାହିଁ। ତେବେ ଆମ ସମ୍ପର୍କରେ ତାଳମେଳ ନଥିବା କିଛି ଲୋକେ ପ୍ରଚାର କରୁଛନ୍ତି।

ସେ ପାର୍ଟିରେ ସିଦ୍ଦାରମୈୟାଙ୍କ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ସେ ଆମର ନେତା। ଏହି ପ୍ରସଙ୍ଗରେ ମୋତେ ଯାହା ବି କହିବାର ଥିଲା ମୁଁ ପୂର୍ବରୁ କହିଛି। ଏହି ଅବସରରେ ଶିବ କୁମାର ନିକଟରେ ସିଦ୍ଦାରମୈୟାଙ୍କ ସହ କରିଥିବା ବୈଠକ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ପାଳିକା ନିର୍ବାଚନ ପାଖେଇ ଆସୁଛି ଏଣୁ କେତେକ ପ୍ରସଙ୍ଗରେ ତାଙ୍କ ସହ ମୋର ଆଲୋଚନା କରିବାର ଥିଲା। ଏଥି ପାଇଁ ମୁଁ ତାଙ୍କୁ ଭେଟିଥିବା ବେଳେ ପାର୍ବଣର ଶୁଭେଚ୍ଛା ଜଣାଇଥିଲି।