ଭୁବନେଶ୍ବର ୧୯।୧୧: କମିଶନରେଟ୍ ପୋଲିସ ଏବଂ ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉରେ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ବୁବାର ମଧ୍ୟରାତ୍ରିରେ ପାହାଳ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୩ ଜଣ ମହିଳାଙ୍କ ସମେତ ମୋଟ୍ ୧୬ ଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ଚଢ଼ାଉ ସମୟରେ ପୋଲିସ ସେମାନଙ୍କ ନିକଟରୁ ୭ଟି ଲାପଟପ୍, ୧୫ଟି ମୋବାଇଲ୍ ଫୋନ୍ ଏବଂ ୨ଟି କାର୍ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ ୨୦୨୫ ମସିହା ମେ’ ୧୪ ତାରିଖରେ କୋଲକାତା ବିଧାନନଗର ପୋଲିସ କମିଶନରେଟ୍ ଅଧୀନ ରାଜାରହାଟ ଅଞ୍ଚଳର ବାସିନ୍ଦା ସୌମିତ୍ର ମଣ୍ଡଳଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିଲା । ଏହାର କିଛି ସମୟ ପରେ ତାଙ୍କ ଅଜାଣତରେ ତାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୩୨ଟି ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କାର ଅନଧିକୃତ କାରବାର ହୋଇଥିଲା । ଏନେଇ ରାଜାରହାଟ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା ।

ମୋବାଇଲ୍ ଟ୍ରାକିଂ ଓ ଡିଜିଟାଲ୍ ତଥ୍ୟକୁ ଆଧାର କରି ପଶ୍ଚିମବଙ୍ଗ ରାଜାରହାଟ ଥାନାର ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ରାତି ପ୍ରାୟ ୧୨ଟା ୪୫ ମିନିଟରେ ଭୁବନେଶ୍ୱର ପାହାଳ ଥାନାରେ ପହଞ୍ଚି ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଥିଲା । ଏହାପରେ ପାହାଳ ଥାନା ଓ ୟୁପିଡି ଭୁବନେଶ୍ୱର ପୋଲିସ ତ୍ୱରିତ ପଦକ୍ଷେପ ନେଇ ମିଳିତ ଭାବେ ଚଢ଼ାଉ କରି ଏହି ୧୬ ଜଣିଆ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲେ ।

Also Read:- ଘରୁ ଲୁଟ୍ ହୋଇଥିଲା ଆଲମିରା ଲକର୍, ପରିତ୍ୟକ୍ତ ନାଳରୁ ମିଳିଲା

ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ଇରଶାଦ, ତଞ୍ଜିଲ ଅଲ୍ଲୀ, ଶେଖ୍ ନିୟାଜ, ଇରଫାନ ହୋସେନ, ଓକାଶ-ଉର-ରହମାନ, ଅଦନାନ ଅଲ୍ଲୀ, ବିଜୟ କୁମାର ଦାସ, ନାସିମ ଆକ୍ରମ ଖାନ, ମହମ୍ମଦ ଅଲ୍ଲୀ ଅହମ୍ମଦ, ସନ୍ଦୀପ ବାରିକ, ସୋନୁ ଶାହ, କେତନ ରାଣା, ଆସର ଅଞ୍ଜୁମ ଖାନ, ପିନାଲୀ ଧର, ଫଲକ କାଇନାଥ ଏବଂ ଆଶାରୀ ଇମାମ ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅଭିଯୁକ୍ତ ମାନେ ଗତ ପ୍ରାୟ ଏକ ମାସ ଧରି ପାହାଳ ଅଞ୍ଚଳରେ ଏକ ଭଡ଼ା ଘରେ ରହି ଏହି ସାଇବର ଠକେଇ ନେଟୱର୍କ ଚଳାଉଥିଲେ । ଭଡ଼ାଟିଆଙ୍କ ତଥ୍ୟ ଯାଞ୍ଚ ନକରି ଘର ଭଡ଼ା ଦେଇଥିବାରୁ ସମ୍ପୃକ୍ତ ଘର ମାଲିକଙ୍କୁ ମଧ୍ୟ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ପରିସରଭୁକ୍ତ କରିବ ବୋଲି ସୂଚନା ମିଳିଛି ।