ନୂଆଦିଲ୍ଲୀ: ମାଲେସିୟା ଭ୍ରମଣରେ ଯିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ବଡ଼ ଖବର। ନୂଆ ବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୭ରୁ ଭାରତୀୟ ନାଗରିକଙ୍କୁ ମିଳୁଥିବା ଭିସା ମୁକ୍ତ ପ୍ରବେଶ ସୁବିଧା ମାଲେସିୟା ସମାପ୍ତ କରିବ। ଏହା ପରେ ଭାରତୀୟଙ୍କୁ ମାଲେସିୟା ଯାତ୍ରା ନିମନ୍ତେ ପ୍ରଥମେ ଭିସା ପ୍ରାପ୍ତ କରିବା ଅନିବାର୍ଯ୍ୟ ହେବ। ଏପର୍ଯ୍ୟନ୍ତ ଭାରତୀୟ ନାଗରିକ ବିନା ଭିସାରେ ମାଲେସିଆରେ ୩୦ ଦିନ ପର୍ଯ୍ୟନ୍ତ ରହି ପାରୁଥିଲେ। ଏହି ନିଷ୍ପତ୍ତି ଯୋଗୁ ମାଲେସିୟା ଯାଉଥିବା ଭାରତୀୟ ପର୍ଯ୍ୟଟକ ଓ ଅନ୍ୟ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଯୋଜନା ନୂଆ ନିୟମ ଅନୁସାରେ ପ୍ରସ୍ତୁତ କରିବାକୁ ପଡିବ।

ମାଲେସିୟା ଇମିଗ୍ରେସନ ବିଭାଗ (ଜେଆଇଏମ) ନଭେମ୍ବର ୧୭ରେ ଜାରି ଅଧିସୂଚନାରେ ଏହି ପରିବର୍ତ୍ତନର ସୂଚନା ଦେଇଛି। ଅଧିସୂଚନା ଅନୁସାରେ ୧ ଜାନୁୟାରୀ ୨୦୨୭ରୁ ମାଲେସିୟା ପ୍ରବେଶ କରୁଥିବା ଭାରତୀୟ ନାଗରିକଙ୍କୁ ଯାତ୍ରା ପୂର୍ବରୁ ଭିସା କରିବାକୁ ପଡିବ। ଏଥି ପାଇଁ ୧ ଡିସେମ୍ବର ୨୦୨୬ରୁ ‘ମାଇଁ ଭିସା’ ପୋର୍ଟାଲ ମାଧ୍ୟମରେ ଆବେଦନ ଜମା କରିପାରିବେ। ଭାରତୀୟ ନାଗରିକଙ୍କ ଲାଗି ମାଲେସିୟା ୨୦୨୩ ମସିହାରେ ଭିସା ମୁକ୍ତ ପ୍ରବେଶ ସୁବିଧା ଆରମ୍ଭ କରିଥିଲା। ଏହି ସୁବିଧା ଅନୁସାରେ ଭାରତୀୟଙ୍କୁ ବିନା ଭିସାରେ ମାଲେସିୟାରେ ୩୦ ଦିନ ପର୍ଯ୍ୟନ୍ତ ଅବସ୍ଥାନ ସୁବିଧା ଦିଆଯାଉଥିଲା।

ଏହି ସୁବିଧାକୁ ପରେ ବଢାଇ ୨୦୨୬ ଡିସେମ୍ବର ମାସ ପର୍ଯ୍ୟନ୍ତ କରାଯାଇଥିଲା। ହେଲେ ଏବେ ଇମିଗ୍ରେସନ ବିଭାଗ ସ୍ପଷ୍ଟ କରିଛି ଯେ ୩୧ ଡିସେମ୍ବର ୨୦୨୬ ପରେ ଆଉ ଏହି ଛାଡ ମିଳିବନି। ମାଲେସିୟା ଇମିଗ୍ରେସନ ବିଭାଗ ଭିସା ଆବେଦନ କରୁଥିବା ଯାତ୍ରୀଙ୍କୁ ଶୁଳ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଛି। ବିଭାଗ ଅନୁସାରେ ଭିସା ପ୍ରୋସେସିଂ ଫି କୌଣସି ପରିସ୍ଥିତିରେ ଫେରାଯିବ ନାହିଁ। ଆବେଦନ ଅଗ୍ରାହ୍ୟ ହେଲେ, ନୀତି ପରିବର୍ତ୍ତନ ହେଲେ ଅଥବା ଯାତ୍ରା ଯୋଜନା ବଦଳିଲେ ଶୁଳ୍କ ରିଫଣ୍ଡ କରାଯିବନି। ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ମାଲେସିୟା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରବେଶ ସମ୍ପର୍କିତ ନିୟମରେ କେବେ ମଧ୍ୟ ପରିବର୍ତ୍ତନ ହୋଇ ପାରେ।

ଏହି ଅଧିସୂଚନାରେ ମାଲେସିୟା ଆସୁଥିବା ବିଦେଶୀ ଯାତ୍ରୀଙ୍କୁ ପ୍ରବାସ କାଳରେ ଯାତ୍ରା ଚିକିତ୍ସା ବୀମା ଅର୍ଥାତ ଟ୍ରାଭେଲ ମେଡିକାଲ ଇନସ୍ୟୁରାନ୍ସ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିଭାଗ ସ୍ପଷ୍ଟ କରିଛି ଯେ ବିଦେଶୀଙ୍କୁ ମାଲେସିୟାରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ନିଜକୁ ବହନ କରିବାକୁ ପଡେ। ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଭାରତ ସରକାର ମାଲେସିୟାରେ ରହୁଥିବା ନିଜ ନାଗରିକଙ୍କୁ ସେଠାରେ ରୋଜଗାର ସନ୍ଧାନ ପାଇଁ ୩୦ ଦିନିଆ ଭିସା ମୁକ୍ତ ପ୍ରବେଶ ସୁବିଧାର ଲାଭ ନ ନିଅନ୍ତୁ। ଏବେ ୧ ଜାନୁୟାରୀ ୨୦୨୭ରୁ ଏହି ସୁବିଧା ସମାପ୍ତ ହେବା ପରେ ମାଲେସିୟା ଯାଉଥିବା ଭାରତୀୟ ନାଗରିକଙ୍କୁ ଯାତ୍ରା ପୂର୍ବରୁ ଭିସା ସମ୍ପର୍କିତ ଔପଚାରିକତା ପୂରଣ କରିବାକୁ ହେବ।