ଚଣ୍ଡିଗଡ଼: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ରାଜନୈତିକ ଝଟକା । କଂଗ୍ରେସ ମେନିଫେଷ୍ଟୋ କମିଟିର ସହ-ଅଧ୍ୟକ୍ଷ ତଥା ରାଜପୁରାର ପୂର୍ବତନ ବିଧାୟକ ହରଦୟାଲ ସିଂହ କାମ୍ବୋଜ ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ଚଣ୍ଡିଗଡ଼ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ତାଙ୍କୁ ବିଜେପିର ସଦସ୍ୟଦା ଦେଇଥିବା ବେଳେ ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଢିଲ୍ଲୋନ ଏବଂ ଦଳର ପଞ୍ଜାବ ପ୍ରଭାରୀ ସତୀଶ ପୁନିଆ ତାଙ୍କୁ ସ୍ୱାଗତ କରିଥିଲେ ।

ହରଦୟାଲ ସିଂହ କାମ୍ବୋଜ ପଞ୍ଜାବ ରାଜନୀତିରେ ଜଣେ ଟାଣୁଆ ରାଜନେତା ଭାବେ ପରିଚିତ । ସେ ରାଜପୁରା ବିଧାନସଭା ଆସନରୁ ୨୦୧୨ ଏବଂ ୨୦୧୭ ମସିହାରେ କଂଗ୍ରେସ ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ସେ ପଞ୍ଜାବ କଂଗ୍ରେସର ଜଣେ ବରିଷ୍ଠ ନେତା ଥିବା ସହ ଦଳର ନିର୍ବାଚନ ଇସ୍ତାହାର କମିଟିର ସହ-ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଥିଲେ ।

 

ବିଜେପିରେ ଯୋଗଦେବା ପରେ କାମ୍ବୋଜ କହିଛନ୍ତି ଯେ, ପଞ୍ଜାବକୁ ବଞ୍ଚାଇବାକୁ ହେଲେ କେନ୍ଦ୍ର ସରକାରଙ୍କ ସମର୍ଥନ ଅତ୍ୟନ୍ତ ଜରୁରି । ଆମ୍ ଆଦମୀ ପାର୍ଟି ଶାସନରେ ପଞ୍ଜାବର ସ୍ଥିତି ଯାହା ହୋଇଛି, ତାହାକୁ ସୁଧାରିବା ପାଇଁ ବୃହତର ଚିନ୍ତାଧାରାର ଆବଶ୍ୟକତା ରହିଛି । ପଞ୍ଜାବକୁ କେବଳ ବିଜେପି ହିଁ ଠିକ୍ ରାସ୍ତାକୁ ଆଣିପାରିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଛାତ୍ର ରାଜନୀତିରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ରାଜନୈତିକ ଅଭିଜ୍ଞତା ଏବଂ ସମସ୍ତ ସାଥୀଙ୍କ ସହ ଆଲୋଚନା ପରେ ହିଁ ବିଜେପିରେ ଯୋଗଦେବା ନିଷ୍ପତ୍ତି ନେଇଛନ୍ତି । କାମ୍ବୋଜଙ୍କ ସହ ରାଜପୁରା ଅଞ୍ଚଳର ବହୁ ସଂଖ୍ୟକ କଂଗ୍ରେସ କର୍ମୀ, କାଉନସିଲର ଏବଂ ପଞ୍ଚ-ସରପଞ୍ଚ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୨୦୨୭ ନିର୍ବାଚନ ପୂର୍ବରୁ ହରଦୟାଲ ସିଂହ କାମ୍ବୋଜଙ୍କ ଯୋଗଦାନ ଦ୍ୱାରା ମାଲୱା ଅଞ୍ଚଳରେ ବିଜେପି ନିଜର ସାଂଗଠନିକ ଶକ୍ତି ବଢ଼ାଇବାକୁ ଆଶା ରଖିଛି ।