ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ ପତ୍ରିକା TIME ପ୍ରଥମ ଥର ଭାରତ ପାଇଁ ଏହାର TIME100 Next India ତାଲିକା ପ୍ରକାଶ କରିଛି । ଏଥିରେ ଚଳଚ୍ଚିତ୍ର, କ୍ରିକେଟ୍, ବ୍ୟବସାୟ, ବିଜ୍ଞାନ, ସଙ୍ଗୀତ ଏବଂ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସ୍ଥାନ ଦିଆଯାଇଛି । TIME100 Nextର ଏହା ପ୍ରଥମ ଅନ୍ତର୍ଜାତୀୟ ସଂସ୍କରଣ ହୋଇଥିବା ବେଳେ, ରିଲାଏନ୍ସ ଏହାର ପ୍ରିମିୟର୍ ପାର୍ଟନର ରହିଛି । ଆଉ TIMEର ଏହି ପ୍ରତିଷ୍ଠିତ ତାଲିକାରେ ସ୍ଥାନ ପାଇଛନ୍ତି ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଆର୍ୟନ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଯୁବ କ୍ରିକେଟ୍‌ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପର୍ଯ୍ୟନ୍ତ, ଭାରତର ୧୦୦ ଜଣ ଉଦୀୟମାନ ପ୍ରତିଭା ।

ତେବେ ଏହି ତାଲିକାରେ କେବଳ ବଲିଉଡ୍ ଓ କ୍ରିକେଟ୍ ଜଗତର ତାରକା ହିଁ ନୁହେଁ କ୍ରୀଡ଼ା ଜଗତରୁ ହରମନପ୍ରୀତ କୌର, ଲଭଲିନା ବର୍ଗୋହେନ୍ ଓ ସାନିଆ ମିର୍ଜାଙ୍କ ଭଳି ନାମ ମଧ୍ୟ ସ୍ଥାନ ପାଇଛି । ସଙ୍ଗୀତ କ୍ଷେତ୍ରରୁ ଦିଲଜିତ୍ ଦୋସାଞ୍ଝ ଓ ଅନିରୁଦ୍ଧ ରବିଚନ୍ଦରଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରୁ ପୀୟୂଷ ବଂଶଲ, ଅଲବିନ୍ଦର ସିଂହ ଢିଣ୍ଡସା, ତରୁଣ ମେହେଟ୍ଟା ଓ ରାଧିକା ଗୁପ୍ତାଙ୍କ ଭଳି ବ୍ୟକ୍ତିତ୍ୱ ସ୍ଥାନ ପାଇଛନ୍ତି। ବିଜ୍ଞାନ ଓ ନବସୃଜନ କ୍ଷେତ୍ରରୁ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

ଏଥର TIME ପକ୍ଷରୁ ତିନୋଟି ଗ୍ଲୋବାଲ୍ କଭର୍ ମଧ୍ୟ ପ୍ରକାଶ କରାଯାଇଛି। ପ୍ରଥମ କଭର୍‌ରେ ଆଲିଆ ଭଟ୍ଟ, ଦ୍ୱିତୀୟ କଭର୍‌ରେ ମହାକାଶ ପ୍ରଯୁକ୍ତି କମ୍ପାନୀ ସ୍କାଏରୁଟ୍‌ର ସହ-ପ୍ରତିଷ୍ଠାତା ପବନ କୁମାର ଚନ୍ଦନା ଏବଂ ତୃତୀୟ ଗ୍ରୁପ୍ କଭର୍‌ରେ ଚଳଚ୍ଚିତ୍ର ନିର୍ମାତା ଆର୍ୟନ ଖାନ୍, ପାୟଲ କପାଡ଼ିଆ ଓ ଥେଜା ରିଓ ସ୍ଥାନ ପାଇଛନ୍ତି। ଆଉ ଏକ ଆକର୍ଷଣୀୟ ଦିଗ ହେଉଛି, ଏହି ଉଦୀୟମାନ ପ୍ରତିଭାମାନଙ୍କ ସମ୍ପର୍କରେ ବହୁ ବିଶିଷ୍ଟ ବ୍ୟକ୍ତି ଲେଖିଛନ୍ତି। ଏସ୍.ଏସ୍. ରାଜାମୌଲି ଆଲିଆ ଭଟ୍ଟଙ୍କ ସମ୍ପର୍କରେ, ବିଶାଳ ଭରଦ୍ୱାଜ ଆର୍ୟନ ଖାନ୍‌ଙ୍କ ସମ୍ପର୍କରେ ଏବଂ ଆୟୁଷ୍ମାନ ଖୁରାନା ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଲେଖିଛନ୍ତି।

TIMEର ସିଇଓ ଜେସିକା ସିବ୍‌ଲିଙ୍କ ଅନୁଯାୟୀ, ଭାରତରେ ଏକ ନୂଆ ପିଢ଼ିର ନେତୃତ୍ୱ ପ୍ରତିଭା ଉଭା ହେଉଛନ୍ତି, ଯେଉଁମାନଙ୍କ ବିଚାର ଓ କାର୍ଯ୍ୟର ପ୍ରଭାବ ଦେଶର ସୀମା ବାହାରେ ମଧ୍ୟ ଅନୁଭୂତ ହେଉଛି । TIMEର ଏଡିଟର-ଇନ୍-ଚିଫ୍ ସାମ୍ ଜାକବ୍ସଙ୍କ ମତରେ, ଭାରତର ଏହି ପିଢ଼ି କେବଳ ନିଜ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଭବିଷ୍ୟତ ଗଠନରେ ମଧ୍ୟ ଭୂମିକା ନିର୍ବାହ କରିବ । ଏହି ତାଲିକାରେ ସାମିଲ ୧୦୦ ଜଣଙ୍କୁ ଭାରତ ଓ ବିଶ୍ୱର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ TIMEର ସାମ୍ବାଦିକମାନେ ଚୟନ କରିଛନ୍ତି।

TIME100 Next Indiaର ଗାଲା ସମାରୋହ ଡିସେମ୍ବର ୧୨ ତାରିଖରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ହେବ। TIME, ରିଲାଏନ୍ସ ସହଭାଗିତାରେ ଏହି ଆୟୋଜନ କରିବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। TIME100 Next Indiaର ସ୍ୱତନ୍ତ୍ର ସଂସ୍କରଣ ଡିସେମ୍ବର ୭ ତାରିଖରେ ବିଶ୍ୱବ୍ୟାପୀ ନ୍ୟୁଜ୍‌ ଷ୍ଟାଣ୍ଡ୍‌ ଗୁଡ଼ିକରେ ଉପଲବ୍ଧ ହେବ।