ନୂଆଦିଲ୍ଲୀ: ତାମିଲନାଡୁର ତାମିଲଗା ଭେଟ୍ରି କାଝଗମ (ଟିଭିକେ)ର ବିଧାୟକ ଭିଏସ୍‌ ବାବୁଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି ।  ତାମିଲନାଡୁ ରାଜନୀତିର ଜଣେ ବରିଷ୍ଠ ନେତା ଏବଂ କୋଲାଥୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭି.ଏସ୍. ବାବୁ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଶେଷରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନଙ୍କୁ ତାଙ୍କରି ଗଡ଼ରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ TVK ବିଧାୟକ ବାବୁ। ସେ ଦୀର୍ଘ ୭୨ ଦିନ ଧରି ଡାକ୍ତରଖାନାରେ ଚିକିତ୍ସାଧୀନ ରହିବା ପରେ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ଭିଏସ୍ ବାବୁ ପ୍ରଥମେ ୨୦୦୬ ମସିହାରେ ଡିଏମକେ ଟିକେଟରେ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଡିଏମକେର ଚେନ୍ନାଇ ଉତ୍ତର ଜିଲ୍ଲା ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କିନ୍ତୁ ୨୦୧୬ ମସିହାରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଏହା ପରେ ସେ ଏଆଇଏଡିଏମକେରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୬ ମସିହାରେ ନିଜ ପରିବାର ସହ ଅଭିନେତା ବିଜୟଙ୍କ ଦଳ ଟିଭିକେରେ ସାମିଲ ହୋଇଥିଲେ। ୨୦୧୧ ମସିହାରୁ କୋଲାଥୁର ଆସନକୁ ପ୍ରତିନିଧିତ୍ୱ କରିଆସୁଥିବା ଷ୍ଟାଲିନଙ୍କ ବିପକ୍ଷରେ ବାବୁଙ୍କ ବିଜୟ ୨୦୨୬ ବିଧାନସଭା ନିର୍ବାଚନର ଡିଏମକେ ପାଇଁ ସବୁଠାରୁ ବଡ଼ ବିପର୍ଯ୍ୟୟ  ଥିଲା । 

ବିଧାୟକ ବାବୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟିଭିକେ ନେତା ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଆଧବ ଅର୍ଜୁନ। ସେ କହିଛନ୍ତି ଯେ, ବିଧାୟକ ବାବୁ ମୁଖ୍ୟମନ୍ତ୍ରୀ ବିଜୟଙ୍କର ଅତ୍ୟନ୍ତ ବିଶ୍ୱାସଭାଜନ ଥିଲେ। ତାଙ୍କ ମୃତ୍ୟୁକୁ ଟିଭିକେ ପରିବାର ଏବଂ ଉତ୍ତର ଚେନ୍ନାଇ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଅର୍ଜୁନ । ସେ କହିଛନ୍ତି ଯେ, କଠିନ ସମୟରେ ବାବୁ ଦଳ ଏବଂ ବିଜୟଙ୍କ ସହ ଦୃଢ଼ ଭାବରେ ଝିଡ଼ା ହୋଇଥିଲେ। ବାବୁ ନିଜ ପରିବାର ସହ ଦଳରେ ଯୋଗ ଦେଇଥିଲେ । ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ ଭିଏସ ବାବୁ । 

ସେପଟେ କୋଲାଥୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। କିଛି ଦିନ ପୂର୍ବରୁ କୋଲାଥୁରର ଜଣେ ବାସିନ୍ଦା ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସରକାରୀ ସୂଚନା ପାଇବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବାବୁ ନିଜର ସାର୍ବଜନୀନ ଦାୟିତ୍ୱ ନିର୍ବାହ କରିବା ସ୍ଥିତିରେ ଅଛନ୍ତି କି ନାହିଁ ଏବଂ ତାଙ୍କ ଅନୁପସ୍ଥିତିରେ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିବା ପାଇଁ କି ବିକଳ୍ପ ବ୍ୟବସ୍ଥା କରାଯାଇଛି, ସେ ନେଇ ଆବେଦନକାରୀ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। କିନ୍ତୁ ଏହି ସବୁ ଆବେଦନ ଏବଂ ଆଶଙ୍କ ଉପରେ ବିରାମ ଟାଣି ଭିଏସ ବାବୁ ସମସ୍ତଙ୍କୁ ପର କରି ଆରପରିକୁ ଚାଲିଯାଇଛନ୍ତି ।