ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ପରମ୍ପରାକୁ ଭାଙ୍ଗି ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ । ପରମ୍ପରା ଭାଙ୍ଗିଛନ୍ତି ସତ, କିନ୍ତୁ ତାଙ୍କର ଏହି ବ୍ୟବହାର ଅନେକଙ୍କୁ ଅନୁପ୍ରାଣିତ କରିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ (TVK) ମୁଖ୍ୟ ବିଜୟ ନିଜ ପାଇଁ ନିର୍ଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ନିଜ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଗହଣରେ ସାଧାରଣ ସିଟ୍‌ରେ ବସିଥିବା ଭିଡିଓ ସାମ୍ନାକୁ ଆସିଛି । 

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରାହ୍ନ ଅଧିବେଶନ ସମୟରେ ବିଜୟ ବାଚସ୍ପତି ଜେ. ସି. ଡି. ପ୍ରଭାକରଙ୍କ ଦକ୍ଷିଣ ପାର୍ଶ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆସନରୁ ଉଠି ମନ୍ତ୍ରୀ କେ. ଏ. ସେଙ୍ଗୋଟ୍ଟାୟନ୍ ଏବଂ ଆଧବ ଅର୍ଜୁନଙ୍କ ମଝିରେ ବସିଥିଲେ। ବିଧାନସଭା ନିୟମାନୁସାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଚସ୍ପତିଙ୍କ ଆସନ ନିକଟରେ ଏକ ସ୍ୱତନ୍ତ୍ର ଓ ପ୍ରଶସ୍ତ ଆସନ ଥାଏ। ତେବେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ଅନ୍ୟ ମନ୍ତ୍ରୀଙ୍କ ସହ ସାଧାରଣ ସିଟରେ ବସିବା ତାମିଲନାଡୁ ବିଧାନସଭା ଇତିହାସରେ ଏକ ବିରଳ ଘଟଣା ବୋଲି କୁହାଯାଉଛି। 

ବିଧାନସଭାରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ନେପାଳରେ ଆସିଥିବା ଆକସ୍ମିକ ବନ୍ୟାରେ ଫସି ରହିଥିବା ତାମିଲନାଡୁ ନାଗରିକଙ୍କ ଉଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ସୂଚନା ଅନୁଯାୟୀ, ଦୁଇଟି ଦଳରେ ତାମିଲନାଡୁରୁ ମୋଟ ୧୦୩ ଜଣ ନେପାଳ ଗସ୍ତରେ ଯାଇଥିଲେ । 

Also Read: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦୁଇଟି ବଡ଼ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ବିଜୟ 

ସେପଟେ ମୁଖ୍ୟମନ୍ତ୍ରୀ ଭାବରେ ୧୦୦ ଦିନ ପୂରଣ କରିଥିବା ବିଜୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହିଳା କର୍ମଚାରୀଙ୍କ ଲାଗି ତୃତୀୟ ସନ୍ତାନ ପାଇଁ ମାତୃତ୍ୱ ଛୁଟି ୧୨ ସପ୍ତାହରୁ ବୃଦ୍ଧି କରାଯାଇ ୩୬୫ ଦିନ (୧ ବର୍ଷ) କରାଯାଇଛି। ଦୁଗ୍ଧ ଚାଷୀଙ୍କ ଲାଗି କ୍ଷୀର କ୍ରୟ ମୂଲ୍ୟ ଲିଟର ପିଛା ୩୮ ଟଙ୍କାରୁ ୪୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ୩.୧୬ ଲକ୍ଷରୁ ଅଧିକ ଚାଷୀଙ୍କୁ ଲାଭାନ୍ୱିତ କରିବ। ସମସ୍ତ ବିଧାୟକଙ୍କୁ ସରକାରୀ ଗାଡ଼ି ଏବଂ ମାସିକ ୧ ଲକ୍ଷ ଟଙ୍କାର ପ୍ୟାକେଜ୍ (୭୫,୦୦୦ ଟଙ୍କା ଗାଡ଼ି ଖର୍ଚ୍ଚ ଓ ୨୫,୦୦୦ ଟଙ୍କା ଅଫିସ୍ ସହାୟକ ପାଇଁ) ଘୋଷଣା କରାଯାଇଛି।