ନୂଆଦିଲ୍ଲୀ:  ଦକ୍ଷିଣାଞ୍ଚଳ ଜୋନାଲ କାଉନସିଲର ୩୧ତମ ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ମୁଖରେ ଦୁଇଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି। ପ୍ରଥମ ଏବଂ ବଡ଼ ଦାବି ଅନୁସାରେ ସେ, NEETରୁ ତାମିଲନାଡୁକୁ ବାଦ ଦିଆଯାଉ ବୋଲି କହିଛନ୍ତି ।  ବିଜୟ ଦାବି କରିଛନ୍ତି ଯେ, ତାମିଲନାଡୁକୁ ନିଟ୍ ପରୀକ୍ଷାରୁ ମୁକ୍ତି ଦିଆଯାଉ ଏବଂ ରାଜ୍ୟର MBBS, BDS ଓ AYUSH ପାଠ୍ୟକ୍ରମରେ +୨ ମାର୍କ ଆଧାରରେ ନାମଲେଖା ପାଇଁ ଅନୁମତି ଦିଆଯାଉ।

ସେ ଦର୍ଶାଇଛନ୍ତି ଯେ, ନିଟ୍‌ ପରୀକ୍ଷା ଦ୍ୱାରା ଗ୍ରାମାଞ୍ଚଳ ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି, ଯାହା ସେମାନଙ୍କ ସମାନ ସୁଯୋଗ ପାଇବାରେ ବାଧା ସୃଷ୍ଟି କରୁଛି।  ଦ୍ବିତୀୟରେ ସଂସଦୀୟ ଆସନ ସୀମା ନିର୍ଦ୍ଧାରଣ ଉପରେ ଗ୍ୟାରେଣ୍ଟି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ।

ସେ କେନ୍ଦ୍ର ସରକାରଙ୍କ ନିକଟରୁ ଆଇନଗତ ଆଶ୍ୱାସନା ଚାହିଁଛନ୍ତି ଯେ, ଜନସଂଖ୍ୟା ଆଧାରରେ ଆଗାମୀ ସୀମା ନିର୍ଦ୍ଧାରଣ ଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ସଂସଦୀୟ ଆସନ ପ୍ରତିନିଧିତ୍ୱ ଯେପରି କମି ନଯାଏ।  ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। କେବଳ ଜନସଂଖ୍ୟାକୁ ଆଧାର କରି ଆସନ ନିର୍ଦ୍ଧାରଣ କଲେ, ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି ସେମାନେ ନିଜର ରାଜନୈତିକ ଗୁରୁତ୍ୱ ହରାଇବେ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବିଜୟ ଉପକୂଳ ସୁରକ୍ଷା, ଡ୍ରଗ୍ସ ନିୟନ୍ତ୍ରଣ ଏବଂ Blue Economy ଉପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି।