ନୂଆଦିଲ୍ଲୀ ୨୭।୧୦:ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଏକ ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି କଏଦୀମାନେ ଖସିଯାଇଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ ପକ୍ଷରୁ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ ହୋଇଛି। ଫେରାର କଏଦୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି।

ଘଟଣା ପରେ ପଡ଼ୋଶୀ ଦିଣ୍ଡିଗୁଲ ଜିଲ୍ଲାର ୧୬ଟି ସ୍ଥାନରେ ଯାଞ୍ଚ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ରାସ୍ତାଗୁଡ଼ିକ ଦେଇ ଯାତାୟାତ କରୁଥିବା ଗାଡ଼ି ମୋଟରକୁ ଯାଞ୍ଚ କରାଯାଉଛି। ଏଥିସହ ଆଖପାଖ ଜିଲ୍ଲାଗୁଡ଼ିକର ପୁଲିସକୁ ସତର୍କ କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ସମସ୍ତ ୧୭ ଜଣ କଏଦୀଙ୍କୁ ଗୋଟିଏ କୋଠରୀରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବା ଖବର ପାଇ ଜେଲ୍ କର୍ମଚାରୀମାନେ କୋଠରୀ ଭିତରକୁ ଯାଇଥିଲେ। ଏହି ସମୟରେ କଏଦୀମାନେ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ସେମାନେ ଜେଲରୁ ଫେରାର ହୋଇଯାଇଥିଲେ।

ଦକ୍ଷିଣ ଜୋନ ପୁଲିସ ମହାନିରୀକ୍ଷକ (ଆଇଜିପି) ବିଜୟେନ୍ଦ୍ର ବିଦାରୀ ଜଣେ ଫେରାର କଏଦୀଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ୟ କଏଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ ଜୋରଦାର ଅଭିଯାନ ଚଳାଇଛି। ଦିଣ୍ଡିଗୁଲ ଜିଲ୍ଲାର ପୁଲିସ ଅଧୀକ୍ଷକ ଏସ୍. ଜୟକୁମାରଙ୍କ ସୂଚନା ଅନୁସାରେ, କଏଦୀମାନେ ଫେରାର ହେବା ପରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଦିଣ୍ଡିଗୁଲ ଜିଲ୍ଲାର ୧୬ଟି ସ୍ଥାନରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇ ସନ୍ଦେହଜନକ ଯାତାୟାତ ଉପରେ ନଜର ରଖାଯାଉଛି। ତେବେ ଫେରାର କଏଦୀଙ୍କୁ ଧରିବା ପାଇଁ ଇଡୁକ୍କି, ମଦୁରାଇ ଓ ଦିଣ୍ଡିଗୁଲ ଜିଲ୍ଲାର ପୁଲିସକୁ ସତର୍କ କରାଯାଇଛି। କଏଦୀମାନଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ସହଜ ହେବା ପାଇଁ ସେମାନଙ୍କ ଫଟୋ ପୁଲିସ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।