ଅହମ୍ମଦାବାଦ: ସୁପର ସଣ୍ଡେରେ ସୁପର୍ ଫାଇଟ୍ । ଟି୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଟିମ୍ ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଯୋଜନା କରୁଛି । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଯାହାକୁ ନେଇ ଉତ୍ସାବିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ। ଏହି ମହାମୁକାବିଲାରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ଘଟିନି।

ରବିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି ।

ମୋଟାମୋଟି ଭାବେ କହିବାକୁ ଗଲେ, ଦୁଇ ଦେଶ ମଧ୍ୟରେ ମୋଟ ୩୦ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତୀୟ ଦଳ ୧୬ ଟି ମ୍ୟାଚ୍ ଜିତିଛି, ୧୧ ଟି ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଜିତିଛି ଏବଂ ୩ଟି ମ୍ୟାଚ୍ ଟାଇ ହୋଇଛି । ଏହି ୩ଟି ମ୍ୟାଚରେ, ଦୁଇଟି ଭାରତୀୟ ଦଳ ପରେ (ସୁପର ଓଭରରେ) ଜିତିଥିଲା । ଗୋଟିଏ ଡିଏଲଏସ୍ (ଡକୱର୍ଥ ଲୁଇସ୍) ପଦ୍ଧତି ଯୋଗୁଁ ଟାଇ ରହିଥିଲା।

ଚିନ୍ତାରେ ଅଭିଷେକ-ବରୁଣଙ୍କ ଫର୍ମ

ଇଂଲଣ୍ଡ ବିପକ୍ଷ ସେମି ମ୍ୟାଚରେ ଭାରତୀୟ ବୋଲରମାନେ ନିରାଶ କରିଥିଲେ। ଅର୍ଶଦୀପ ସିଂହ ୪ ଓଭରରେ ୫୧ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୬୪ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ତେବେ ବରୁଣଙ୍କ ଫର୍ମ ସମସ୍ତଙ୍କୁ ନିରାଶ କରିଥିଲା । ଯାହା ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛି। ତଥାପି ବରୁଣଙ୍କୁ ଫାଇନାଲ୍ ମ୍ୟାଚରେ ସୁଯୋଗ ମିଳିଛି।

ସେହିଭଳି ଅଭିଷେକ ଶର୍ମାଙ୍କ ଫର୍ମ ମଧ୍ୟ ଚିନ୍ତାର ବିଷୟ। ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବିତ କରିନି । ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରୋଟି ଟି-୨୦ରେ ୪ଟି ୱିକେଟ ନେଇଛନ୍ତି, ହାରାହାରି ୩୨.୭୫ ଏବଂ ଇକୋନୋମି ହାର ୮.୧୮ ବଜାୟ ରଖିଛନ୍ତି।

ଭାରତୀୟ ଦଳ

ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା।​​​​​​​

ନ୍ୟୁଜିଲାଣ୍ଡ ଦଳ

ଟିମ ସେଇଫର୍ଟ(ଓ୍ଵିକେଟ୍ କିପର), ଫିନ ଆଲେନ, ରଚିନ ରବୀନ୍ଦ୍ରନ, ଗ୍ଲେନ ଫିଲିପ୍ସ,  ମାର୍କ ଚପମ୍ୟାନ, ଡାରିଲ ମିଚେଲ୍, ଜେମ୍ସ ନିଶାନ, ମିଚେଲ୍ ସାଣ୍ଟନର(ଅଧିନାୟକ), ମାଟ୍ ହେନରୀ, ଲୋକି ଫର୍ଗ୍ୟୁସନ, ଜାକବ ଡଫି