ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଗୁରୁବାରଠାରୁ ଆରମ୍ଭ ହୋଇଛି । ଏହି ବିଶ୍ୱକପ୍ ଫେବ୍ରୁଆରୀ ୭ରୁ ଆରମ୍ଭ ହେବ ଏବଂ ଏଥିରେ ୨୦ ଦଳ ଅଂଶଗ୍ରହଣ କରିବେ । ଏଥର ଭାରତ ନିଜର ଟାଇଟଲ୍ ରକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇବ । ଭାରତୀୟ ସମୟ ସନ୍ଧ୍ୟା ୬.୪୫ରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ର ଟସ୍ ପରେ ଡମି ଟିକେଟ୍ ଦିଆଯାଇଛି । ଭାରତ ବନାମ ଆମେରିକା ମ୍ୟାଚ୍‌ର ଡମି ଟିକେଟ୍ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଦକ୍ଷିଣ ଆଫ୍ରିକା ବନାମ କାନାଡା ମ୍ୟାଚ୍‌ର ଡମି ଟିକେଟ୍ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରାମଙ୍କୁ ହସ୍ତାନ୍ତର କରାଯାଇଥିଲା ।

କିଛି ଦିନ ପୂର୍ବରୁ ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଥିଲା । ରୋହିତ୍ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା । ଏହା ଟୁର୍ଣ୍ଣାମେଣ୍ଟର ୧୦ମ ସଂସ୍କରଣ । ଟି-୨୦ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ଭାରତ ଏବଂ ଶ୍ରୀଲଙ୍କାର ଆଠଟି ସ୍ଥାନରେ ହେବ । ଭାରତରେ ମୋଟ ପାଞ୍ଚଟି ସ୍ଥାନରେ ଏବଂ ଶ୍ରୀଲଙ୍କାର ତିନୋଟି ସ୍ଥାନରେ ମ୍ୟାଚ୍ ଆୟୋଜନ କରାଯିବ । ଭାରତରେ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ଅହମ୍ମଦାବାଦ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଆୟୋଜନ କରିବେ । ଶ୍ରୀଲଙ୍କା କଲମ୍ବୋର ଆର୍ ପ୍ରେମଦାସା ଏବଂ ଏସ୍ ସ୍ପୋର୍ଟସ୍ କ୍ଲବ, କାଣ୍ଡିର ପାଲେକେଲ ଷ୍ଟାଡିୟମରେ ମ୍ୟାଚ୍ କରାଯିବ ।

ଗତ ବର୍ଷ ପରି ଆଗମୀ ସଂସ୍କରଣରେ ମଧ୍ୟ ୨୦ଟି ଦଳ ଅଂଶଗ୍ରହଣ କରିବେ । ଏହି ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକ ମଧ୍ୟରେ ଭାରତ, ନାମିବିଆ, ନେଦରଲ୍ୟାଣ୍ଡ, ପାକିସ୍ତାନ, ଆମେରିକା, ବାଂଲାଦେଶ, ଇଟାଲୀ, ଇଂଲଣ୍ଡ, ନେପାଳ, ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ଓମାନ, ଶ୍ରୀଲଙ୍କା, ଜିମ୍ବାୱେ, ଆଫଗାନିସ୍ତାନ, କାନାଡା, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ଅଛନ୍ତି ।

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୋଗ ଗୁପ୍ତା କହିଛନ୍ତି, "ଟିକେଟ ବିକ୍ରର ପ୍ରଥମ ପର୍ଯ୍ୟାୟ ଆଜି ଯାଏର ସବୁଠାରୁ ସୁଲଭ ରହିଛି ଏବଂ ବିଶ୍ୱସ୍ତରୀୟ ଆଇସିସି ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆମର ଦୃଷ୍ଟିକୋଣ ସ୍ପଷ୍ଟ ରହିଛି । ଦର୍ଶକ ଷ୍ଟାଡିୟମରେ ବିଶ୍ୱସ୍ତରୀୟ କ୍ରିକେଟ୍ ଅନୁଭବ କରିବାର ସୁଯୋଗ ପାଇବା ଉଚିତ ।" ସେ ଆହୁରି ମଧ୍ୟ କହିଛନ୍ତି, "ମାତ୍ର ୧୦୦ ଏବଂ ୧୦୦୦ରୁ ଆରମ୍ଭ ହେଉଥିବା ଟିକେଟ୍ ସହିତ, ଆମେ ଆମ ନୀତିରେ ସୁଲଭତା ରଖିଛୁ । ଏହା ଲକ୍ଷ ଲକ୍ଷ ଲୋକଙ୍କୁ କ୍ରିକେଟର ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଅଂଶ ହେବାକୁ ଆମନ୍ତ୍ରଣ କରିବ । ୨୦୨୬ ସଂସ୍କରଣ, ୨୦ ଦଳ ଏବଂ ୫୦ ମ୍ୟାଚ୍ ସହିତ, ଇତିହାସର ସବୁଠାରୁ ମହତ୍ୱାକାଂକ୍ଷୀ ଟି-୨୦ ବିଶ୍ୱକପ୍ ହେବ ।"