ନୂଆଦିଲ୍ଲୀ: ଶେଷରେ ଗିରଫ ହେ ସ୍ଵତନ୍ତ୍ର ଭରଦ୍ଵାଜ। ଯନ୍ତରମନ୍ତର ଆନ୍ଦୋଳନ ସମୟରେ ଜଣେ ନାବାଳିକା କର୍ମୀଙ୍କ ବାପାଙ୍କ ଉପରେ ଆକ୍ରମଣ କରି ଗର୍ବର ସହ ବିବାଦୀୟ ବୟାନ ଦେଇଥିବା ପ୍ରଭାବଶାଳୀ ତଥା ଦକ୍ଷିଣପନ୍ଥୀ ସକ୍ରିୟକର୍ମୀ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଶେଷରେ ପୁଲିସ ଗିରଫ କରିଛି। ଶନିବାର ପୁଲିସ ତାଙ୍କୁ କୋର୍ଟରେ ହାଜର କରିବା ପରେ ଗୋଟିଏ ଦିନର ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଧମରା ନାରା ଗାଁ ନିକଟରୁ ଶୁକ୍ରବାର ପୁଲିସ ତାଙ୍କୁ କାବୁ କରିଥିଲା।

ପୋଡକାଷ୍ଟରେ କ’ଣ କହିଥିଲେ ସ୍ୱତନ୍ତ୍ର ?

ନିକଟରେ ଏକ ପୋଡକାଷ୍ଟରେ ସ୍ୱତନ୍ତ୍ର ଭାରଦ୍ୱାଜ ଦାବି କରିଥିଲେ ଯେ ଯନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ସେ ଜଣେ ୧୪ ବର୍ଷର ଦଳିତ ଝିଅଙ୍କ ବାପାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଏହାସହ ନିଜର ରାଜନୈତିକ ଏବଂ ମନ୍ତ୍ରୀଙ୍କ ପାଇଁ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ବୟାନ ଦେଇଥିଲେ। ସେ କହିଥିଲେ, "ମୋର ଏହି କାର୍ଯ୍ୟ ପାଇଁ ଦଫା ୩୦୭ (ହତ୍ୟା ଉଦ୍ୟମ) ଲାଗିବା କଥା, କିନ୍ତୁ ମୋତେ ଜେଲ୍ ହୋଇନାହିଁ। ମୁଁ ରାତିସାରା ବୁଲୁଥିଲି, ଏହା ଦୁନିଆ ଜାଣିବା ଦରକାର। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟାପକ ଆକ୍ରୋଶ ପ୍ରକାଶ ପାଇଥିଲା।

ଜୁନ୍ ୨୩ର ଘଟଣା ଏବଂ ପୀଡ଼ିତାଙ୍କ ଅଭିଯୋଗ

ଗତ ଜୁନ୍ ୨୩ ତାରିଖରେ ଘଟଣାଟି ଘଟିଥିଲା। ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କକରୋଚ୍ ଜନତା ପାର୍ଟି(CJP) ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା। ଏହି ସମୟରେ ଭିଡିଓ ସୁଟିଂକୁ ନେଇ ସ୍ୱତନ୍ତ୍ର ଏବଂ ନାବାଳିକାଙ୍କ ବାପାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାରେ ନାବାଳିକା ବାପାଙ୍କୁ ମାଡ଼ ମରାଯାଇଥିଲା। ସେତେବେଳେ ପୁଲିସ ସ୍ୱତନ୍ତ୍ରଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିଲା। ତେବେ ପୋଡକାଷ୍ଟ ଭିଡିଓ ସାମ୍ନାକୁ ଆସିବା ପରେ, ସମ୍ପୃକ୍ତ ନାବାଳିକା 'X'ରେ ଏକ ଭିଡିଓ ପୋଷ୍ଟ କରି ସ୍ୱତନ୍ତ୍ରଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିଥିଲେ।

ଥାନାରେ ହଙ୍ଗାମା ଓ ସିଜେପିର ଆନ୍ଦୋଳନ

ସ୍ୱତନ୍ତ୍ରଙ୍କ ଆସ୍ଫାଳନ ଏବଂ ନାବାଳିକାଙ୍କ ଅଭିଯୋଗ ପରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା। ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ସମେତ ଲୋକସଭା ସାଂସଦ ଚନ୍ଦ୍ରଶେଖର ଏବଂ ପପୁ ଯାଦବ ଶୁକ୍ରବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ଧାରଣା ଦେଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ସ୍ୱତନ୍ତ୍ରଙ୍କୁ ରାଜନୈତିକ ଛତ୍ରଛାୟା ମିଳୁଛି କି ବୋଲି ପ୍ରଶ୍ନ ଉଠାଇଥିଲେ। ଦାବି ପରେ ପୁଲିସ ମାମଲାରେ ଏସସି/ଏସଟି (SC/ST) ଆକ୍ଟ ଯୋଡ଼ିବା ସହ ନାବାଳିକାଙ୍କୁ ଧମକ ପ୍ରସଙ୍ଗରେ ପୋକ୍ସୋ (POCSO) ଆକ୍ଟ ଅଧୀନରେ ଅଲଗା ମାମଲା ରୁଜୁ କରିଛି।

ଆତ୍ମରକ୍ଷା ବୋଲି ସଫେଇ ଦେଲେ ସ୍ୱତନ୍ତ୍ର

ଅନ୍ୟପଟେ ନିଜ ବିରୋଧରେ ବଢ଼ୁଥିବା ଅସନ୍ତୋଷକୁ ଦେଖି ସ୍ୱତନ୍ତ୍ର ଗଣମାଧ୍ୟମ ଆଗରେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, "ତାହା କୌଣସି ଆକ୍ରମଣ ନଥିଲା, ବରଂ ମୋର ଆତ୍ମରକ୍ଷା ଥିଲା। ମୁଁ ଯଦି ଆତ୍ମରକ୍ଷା କରିନଥାନ୍ତି, ତେବେ ଉତ୍ତ୍ୟକ୍ତ ଲୋକେ ମୋତେ ପିଟି ପିଟି ମାରିଦେଇଥାନ୍ତେ। ମୋ ପାଖରେ ଏହାର ଭିଡିଓ ପ୍ରମାଣ ଅଛି। ତେବେ ସଫେଇ ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଏବଂ ଆଗାମୀ ଜେରା ପାଇଁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି।