ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)କୁ ବାତିଲ କରିବା ପାଇଁ ଏକ ସ୍ୱାଧୀନ ବୈଜ୍ଞାନିକକଙ୍କ ସମୂହ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ବୈଜ୍ଞାନିକମାନେ ଇସିଆଇ ଓ ସରକାରଙ୍କୁ ଏକ ଖୋଲା ପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ରରେ ୮୦ ଜଣ ଗବେଷକ ଓ ଶିକ୍ଷାବିଦ୍ ସ୍ୱାକ୍ଷର କରିଛନ୍ତି। ଏଥିରେ ସ୍ୱାକ୍ଷରକାରୀମାନେ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ସାଇନ୍ସ, ଆଇଆଇଟି ଦିଲ୍ଲୀ, ଆଇଆଇଏସଇଆର କୋଲକାତା, ଇନିଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକାଲ ସାଇନ୍ସେସ୍ (ଚେନ୍ନାଇ) ଓ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟିକାଲ ସାଇନ୍ସେସ୍ (ବେଙ୍ଗାଲୁରୁ) ଭଳି ସଂସ୍ଥାଙ୍କ ସହ ଜଡିତ।

ସ୍ୱାକ୍ଷରକାରୀଙ୍କ କହିବା କଥା ହେଉଛି ସେମାନଙ୍କ ପର୍ସନାଲ ଷ୍ଟାଟସ ଅନୁସାରେ ଏହି ବୟାନକୁ ସମର୍ଥନ କରିଛନ୍ତି। ଏହା ସେମାନଙ୍କ ବ୍ୟକ୍ତିଗତ ବିଚାର ଓ ଏହା ସହ ସେମାନେ କାମ କରୁଥିବା ସଂସ୍ଥାମାନଙ୍କର କୌଣସି ସମ୍ପର୍କ ନାହିଁ। ବୈଜ୍ଞାନିକମାନେ ଦେଶର ସବୁ ଯୋଗ୍ୟ ଭୋଟରଙ୍କ ନାମ ଯେଉଁମାନଙ୍କୁ ଭୁଲ ଉପାୟରେ ତାଲିକାରୁ ହଟାଇ ଦିଆଯାଇଥିଲା ସେମାନଙ୍କ ନାମ ପୁଣି ଥରେ ଚଢାଇବାକୁ ଦାବି କରିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ଯୋଗ୍ୟ ଭୋଟର ବିଶେଷ କରି ଗରିବ, ପ୍ରବାସୀ ଶ୍ରମିକ ଓ ଅବହେଳିତଙ୍କୁ କୌଣସି ବୈଧ କାରଣ ବିନା ମନମୁଖୀ ଭାବେ ବାଦ ଦିଆଯାଇଛି। ପ୍ରଭାବିତ ନାଗରିକଙ୍କୁ ସେମାନଙ୍କ ନାମ ପୁନର୍ବାର ଯୋଡିବା ପାଇଁ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ବାଧ୍ୟ କରାଯାଉଛି।

ବୈଜ୍ଞାନିକମାନେ ଏସଆଇଆର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଭୋଟର ତାଲିକାରେ ନାମ ଦର୍ଜ କରିବାକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ଏବଂ ନାଗିରକଙ୍କୁ ସେମାନଙ୍କ ପାତ୍ରତା ସାବ୍ୟସ୍ତ କରିବାକୁ ଉଚିତ ସୁଯୋଗ ଦିଆଯାଉନାହିଁ। ଭୋଟ ଦେବାର ଅଧିକାର ଗଣତନ୍ତ୍ରର ଏକ ମୌଳିକ ସ୍ତମ୍ବ। ଯେତେବେଳେ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରାଯାଏ ସେତେବେଳେ ଗଣତନ୍ତ୍ର ବଞ୍ଚି ପାରିବ ନାହିଁ ବୋଲି ସ୍ୱାକ୍ଷରକାରୀମାନେ କହିଛନ୍ତି। ବୈଜ୍ଞାନିକମାନେ ଇସିଆଇ ଓ ସରକାରଙ୍କୁ ସାମ୍ବିଧାନିକ ନୀତି ପାଳନ କରିବାକୁ ଅନୁରୋଧ କରିଛନ୍ତି ଓ ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ସବୁ ସମୂଦାୟ ଓ ବ୍ୟକ୍ତିବିଶେଷଙ୍କୁ ଭୋଟ ଅଧିକାରର ସୁରକ୍ଷା ପାଇଁ ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି।