ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫାକୁ ନେଇ ଜାରି ଆନ୍ଦୋଳନ ସମୟରେ ଫ୍ରଣ୍ଟଫୁଟରେ ଥିଲା କଂଗ୍ରେସ। ହେଲେ ଦଳର କେରଳ ଶାଖାର ଗୋଟିଏ ଟୁଇଟ୍ ଦଳକୁ ଏବେ ଅପଦସ୍ଥ କରିବା ସହ ଅକଳରେ ପକାଇଛି। ଆଉ ଏହି ଟୁଇଟ୍ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଉଦ୍ଦିଷ୍ଟ ଥିଲା। ଏହି ପୋଷ୍ଟକୁ ନେଇ ଉପୁଜିଥିବା ନୂଆ ବିବାଦ ଏବଂ ହଙ୍ଗାମା ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ଵସ୍ତି।

ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ଟ୍ରାଏଲ ଉପରେ ରୋକ୍ ଲଗାଇଛନ୍ତି। ଯେଉଁ ମାମଲାରେ ରାହୁଲଙ୍କୁ ଆଶ୍ଵସ୍ତି ମିଳିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଡ଼ିତ। ପିଏମଙ୍କ ବିରୋଧରେ ‘ଚୋରୋଁ କେ ସରଦାର’ ଏବଂ ‘କମାଣ୍ଡର ଇନ ଥିଫ’ ପରି ଟିପ୍ପଣୀ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ନିମ୍ନ ଅଦାଲତରେ ଚାଲିଥିବା ମାନହାନୀ ମୋକଦ୍ଦମାର ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି।

Also Read: ନାଁରେ ଭୁଲ, ଜମା ହୋଇନି କୋର୍ଟ ଫି ! ରାହୁଲ ଗାନ୍ଧୀଙ୍କ ପିଟିସନରେ ସାମ୍ନାକୁ ଆସିଲା ୧୪ ତ୍ରୁଟି

ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଯାଚିକା ଉପରେ ଶୁଣାଣି କରି ମଙ୍ଗଳବାର ଉପରୋକ୍ତ ଆଦେଶ ଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ ଜବାବ ଦେବା ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟରେ ଚାଲିଥିବା ଶୁଣାଣି ଉପରେ ରହିତାଦେଶ ଜାରି କରାଯାଇଛି।

କଣ ଥିଲା ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ?

ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ବମ୍ବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଥିଲେ। ଏହି ଯାଚିକାରେ ରାହୁଲ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ କୋର୍ଟ ଦ୍ଵାରା ଜାରି ସମନକୁ ରଦ୍ଦ କରିବାକୁ ଦାବି କରିଥିଲେ। ଏହି ମାମଲା ତେବେ ଯାଇ ଆଇନଗତ ରୂପ ନେଲା ଯେତେବେଳେ ବିଜେପିର କାର୍ଯ୍ୟକର୍ତ୍ତା ମହେଶ ଶ୍ରୀଶ୍ରୀମାଲ କୋର୍ଟଙ୍କ ଦ୍ଵାରସ୍ଥ ହେଲେ। ସେ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋରୋଁ କା ‘ସରଦାର’ କହିବା ପୂରା ପାର୍ଟି ଏବଂ ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ଚୋର କହିବା ପରି ସମାନ। ଏଥିରେ ପାର୍ଟିର ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଛି ଏବଂ ଭାବମୂର୍ତ୍ତି ମଳିନ ହୋଇଛି। ହେଲେ ବମ୍ବେ ହାଇକୋର୍ଟ ଏହି ମାମଲାର ନିଷ୍ପତ୍ତି ଟ୍ରାଏଲ କୋର୍ଟ ନେବ କହି ଦୂରେଇ ଯାଇଥିଲେ।

Also Read: ସୌରଭ ଏବଂ ଆଶୁତୋଷ ପୁଣି ଅଟକ, ଜନ୍ତରମନ୍ତରରୁ ଉଠାଇନେଲା ପୋଲିସ