ନୂଆଦିଲ୍ଲୀ: ମେଘାଳୟ ହନିମୁନ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ମେଘାଳୟ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଫଳରେ ସୋନମ ବର୍ତ୍ତମାନ ଜେଲକୁ ଫେରିବେ ନାହିଁ। ୨୦୨୫ ମସିହା ମେ ମାସରେ ଇନ୍ଦୋରର ଜଣେ ୨୯ ବର୍ଷୀୟ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ବିବାହ ସୋନମଙ୍କ ସହ ହୋଇଥିଲା। ବିବାହ ପରେ ଦୁହେଁ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ମେ ୨୩ ତାରିଖରେ ମେଘାଳୟର 'ନୋଙ୍ଗରିଆଟ୍' ସ୍ଥିତ ଏକ ହୋମଷ୍ଟେରୁ ଚେକ୍-ଆଉଟ୍ କରିବା ପରେ ଦମ୍ପତି ନିଖୋଜ ହୋଇଯାଇଥିଲେ।

ପରବର୍ତ୍ତୀ ସମୟରେ, ମେଘାଳୟର ସୋହରାସ୍ଥିତ 'ୱେଇସାଓଡଙ୍ଗ ଜଳପ୍ରପାତ' ନିକଟସ୍ଥ ଏକ ଗଭୀର ଖାତରୁ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଘଟଣା ପରେ ସୋନମ ଫରାର ହୋଇଯାଇଥିଲେ ଏବଂ କିଛି ଦିନ ପରେ ଉତ୍ତର ପ୍ରଦେଶରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସର ୭୦୦ ପୃଷ୍ଠାର ଚାର୍ଜସିଟ୍ ଅନୁସାରେ, ଏହା ସୋନମ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଇଥିବା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା।

ମେଘାଳୟ ହାଇକୋର୍ଟ ଜୁନ୍ ୨୯ ତାରିଖରେ ସୋନମଙ୍କୁ ଜାମିନ ପ୍ରଦାନ କରିଥିଲେ।  ଗିରଫ ସମ୍ପର୍କିତ ଦସ୍ତାବିଜରେ ହତ୍ୟା ସମ୍ବନ୍ଧୀୟ ଧାରା BNS ୧୦୩ (ହତ୍ୟା) ବଦଳରେ ଭୁଲବଶତଃ ଧାରା ୪୦୩ ଲେଖାଯାଇଥିଲା। ଏହା ବ୍ୟତୀତ ଦସ୍ତାବିଜରେ ସେ ସେନାରୁ ପଳାତକ ଥିବା ଭଳି କିଛି ଅପ୍ରାସଙ୍ଗିକ ତଥ୍ୟ ମଧ୍ୟ ଲେଖାଯାଇଥିଲା।ହାଇକୋର୍ଟ ଏହାକୁ ପୋଲିସର ତ୍ରୁଟି ବୋଲି ଦର୍ଶାଇ ସୋନମଙ୍କୁ ଜାମିନ ମଞ୍ଜୁର କରିଥିଲେ।

ମେଘାଳୟ ସରକାର ହାଇକୋର୍ଟଙ୍କ ଏହି ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, କେବଳ ଏକ ଟାଇପିଂ ଭୁଲ୍ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଜାମିନ ମିଳିବା ଉଚିତ ନୁହେଁ। ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ ଶୀଲ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଯୁକ୍ତି ଉପରେ ସନ୍ତୁଷ୍ଟ ନଥିଲେ ଏବଂ ପୋଲିସର ଟାଇପିଂ ଭୁଲକୁ ନେଇ ହାଇକୋର୍ଟ ଯେଉଁଭଳି ଭାବେ ମାମଲାକୁ ବିଚାର କଲେ, ସେଥିପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

କୋର୍ଟ କହିଛନ୍ତି ଯେ, ପ୍ରଥମେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ଚାହୁଁଥିଲେ, କିନ୍ତୁ ସୋନମ ଏବେ ଜେଲରୁ ମୁକୁଳି ସାରିଛନ୍ତି । ଜଣେ ବ୍ୟକ୍ତି ଜାମିନରେ ମୁକୁଳିବା ପରେ ପୁଣି ତୁରନ୍ତ ତାଙ୍କୁ ଜେଲ୍ ପଠାଇବା ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ଅପରାଧ ଯେତେ ଗୁରୁତର ହେଲେ ମଧ୍ୟ ବିଚାର ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ଧରିନେବାର ଏକ ଆଇନଗତ ନିୟମ ରହିଛି। ସୁପ୍ରିମକୋର୍ଟ ସୋନମ ରଘୁବଂଶୀଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସୋନମଙ୍କ ଜବାବ ଆସିବା ପରେ କୋର୍ଟ ଏହି ମାମଲାର ଟ୍ରାଏଲକୁ ଶୀଘ୍ର ଶେଷ କରିବା ପାଇଁ ଆଦେଶ ଦେଇପାରନ୍ତି। ବର୍ତ୍ତମାନ ପାଇଁ ସେ ଜେଲ୍ ବାହାରେ ହିଁ ରହିବେ।