ନୂଆଦିଲ୍ଲୀ, ୨୨/୦୯ : ଏକ ଗୁରୁତ୍ବପୂର୍ଣ ରାୟ ଦେଇ ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଡଦନ୍ତକାରୀ ସଂସ୍ଥାଗୁଡ଼ିକ ଗିରଫ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ଗିରଫଦାରିର କାରଣ ଲିଖିତ ଆକାରରେ ଏବଂ ସେ ବୁଝିପାରୁଥିବା ଭାଷାରେ ଜଣାଇବା ବାଧ୍ୟତାମୂଳକ । ଅପରାଧର ପ୍ରକୃତି ବା ଗୁରୁତ୍ବ ଯାହା ବି ହୋଇଥାଉ ନା କହିଁକି, ଗିରଫର କାରଣ ନ ଜଣାଇ କୌଣସି ବ୍ୟକ୍ତିଙ୍କୁ ଅଟକ ରଖିବା ବେଆଇନ। ଏହି ସୁରକ୍ଷା ବ୍ୟବସ୍ଥା ସର୍ବୋପରି । ଏହି ନିୟମ ପିଏମଏଲଏ, ୟୁଏପିଏ ଆକ୍ଟ ଭଳି ସ୍ୱତନ୍ତ୍ର ଆଇନ ଅଧୀନରେ ହେଉଥିବା ଗିରଫଦାରି କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଜଷ୍ଟିସ୍ ଉତ୍କଲ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଚନ୍ଦୁରଜରଙ୍କ ଖଣ୍ଡପୀଠ କହିଛନ୍ତି।

Also Read :- ଗୋପାଳପୁରରେ ମାଡ଼ ହେବ ଗଭୀର ଅବପାତ ! ଆଜିଠୁ ଅତି ପ୍ରବଳ ବର୍ଷା, ଦକ୍ଷିଣରେ ଭୟଙ୍କର ବର୍ଷିବ

ସୁପ୍ରିମକୋର୍ଟ କହିଛନ୍ତି, ଏପରି ଭାବେ ପ୍ରଥମ ଗିରଫଦାରି ପରେ ବ୍ୟକ୍ତିଙ୍କୁ ମୁକ୍ତ କରାଯିବା ପରେ ତଦନ୍ତକାରୀ ଏଜେନ୍ସି ପୁଣି ତାଙ୍କୁ ଗିରଫ କରିବାକୁ ଚାହେଁ ତେବେ ଏଥିପାଇଁ ପ୍ରଥମେ ମାଜିଷ୍ଟ୍ରେଟଙ୍କ ମଞ୍ଜୁରି ନେବାକୁ ପଡ଼ିବ। ଏଥିସହ ପ୍ରଥମ ଗିରଫଦାରିରେ ନିୟମ ଉଲଂଘନ କରିଥିବା ପୁଲିସ ଅଧିକରୀଙ୍କ ବିରୋଧରେ ବିଭାଗୀୟ ଯଞ୍ଚ ହେବ।

ଦ୍ଵିତୀୟ ଥର ଗିରଫଦାରି ସ୍ଥିତିରେ ମାମଲର ପରବର୍ତ୍ତୀ ଯାଞ୍ଚ ଦାୟିତ୍ବ ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ବ୍ୟକ୍ତିଙ୍କ ସ୍ବାଧୀନତା ସହ ଜଡ଼ିତ ସାମ୍ବିଧାନିକ ପ୍ରାବଧାନକୁ କଡ଼ା ବଡ଼ି ଭାବେ ପାଳନ କରାଯିବା ଉଚିତ। ଅପରାଧର ପ୍ରକୃତି ବା ଗମ୍ଭୀରତା ଅଧାରରେ ସେହି ସାମ୍ବିଧାନିକ ଅଧିକାରକୁ ସୀମିତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ଭୂୟାଁ କହିଛନ୍ତି ।

ଶିରୋମଣି ଅକାଳି ଦଳ ସହ ଜଡ଼ିତ ମୁଲାନ୍ପୁର ଦାଖା ବିଧାନସଭା କ୍ଷେତ୍ରର ପ୍ରଭାରୀ ଯଶରକରନଜିତ ସିଂଙ୍କ ଅପିଲ ଉପରେ ସୁପ୍ରିମକୋର୍ଟ ଏହି ଫଇସଲା କରିଛନ୍ତି। ନାବାଳିକାଙ୍କ ସହ ଯୌନ ଅପରାଧ ସହ ଜଡ଼ିତ ମାମଲାରେ ତାଙ୍କ ଗିରଫଦାରିର କାରଣ ତାଙ୍କୁ ଲିଖିତ ଭାବେ ଜଣାଯାଇ ନ ଥିଲା I ସୁପ୍ରିମକୋର୍ଟ ତାଙ୍କର ଗିରଫଦାରିକୁ ବେଆଇନ ବିବେଚନା କରିଛନ୍ତି। ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶ ପରେ ସୁପ୍ରିମକେର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିବା ଏବଂ ତୁରନ୍ତ ମୁକ୍ତ କରିବା ନେଇ ନିମ୍ନ ଅଦାଲତ ଦେଇଥିବା ଆଦେଶ ଉପରେ ହାଇକୋର୍ଟ ରୋକ ଲଗାଇଥିଲେ ।