ଭୁବନେଶ୍ୱର, ୨୨/୦୯:ପାଗ ବଦଳିଛି। ଆକାଶରେ ମେଘ। ମଝିରେ ମଝିରେ ହାଲୁକା ବର୍ଷା। ପାଣିପାଗ ପୂର୍ବାନୁମାନ- ମଙ୍ଗଳବାରଠାରୁ (୨୨ ତାରିଖ) ବର୍ଷା ପରିମାଣ ବଢ଼ିବ। ୨୩-୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ନିର୍ଘାତ ବର୍ଷା ଆଶଙ୍କା ରହିଛି। ଉପକୂଳରେ ବି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ୨୫ରୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିପାରେ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ଫୁଲିବା ଆଶଙ୍କା କରାଯାଉଛି। ହେଲେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନରୁ ସ୍ପଷ୍ଟ ହେଉଛି। ଗଭୀର ଅବପାତ ରୂପରେ ଏହା ବିଶାଖପାଟଣାରୁ ଗୋପାଳପୁର ମଝିରେ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ।

Also Read :- ଓଡ଼ିଶାରେ ଶେଷ ହେଲା SIR: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, କଟିଲା ୨୦ ଲକ୍ଷରୁ ଅଧିକ ନାଁ

ସ୍ଥିତି ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ ଲଘୁଚାପ ଘନୀଭୂତ ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇ ସାରିଛି। ଗୋପାଳପୁର ଉପକୂଳରୁ ପ୍ରାୟ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ଭିତରେ ମଙ୍ଗଳବାର ସନ୍ଧ୍ୟା ବେଳକୁ ଗଭୀର ଅବପାତ ରୂପ ନେବ। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖପାଟଣାଠାରୁ ସାମାନ୍ୟ ଉତ୍ତର ଦେଇ ସ୍ଥଳଭାଗରେ ପ୍ରବେଶ କରିବ ଗଭୀର ଅବପାତ। ସେତେବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଏବଂ ପବନ ଧକ୍କା ୭୦ କିମି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସମ୍ଭାବ୍ୟ ଗତିପଥ କହୁଛି ୨୪ ତାରିଖ ଅପରାହ୍ନ ସୁଦ୍ଧା କୋରାପୁଟ ଦେଇ ଓଡ଼ିଶାରେ ପଶିବ। ସେତେବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେଇଥିବ। ପବନର ବେଗ ୪୫ରୁ ୫୫ କିଲୋମିଟରକୁ ଖସି ଆସିଥିବ। କିନ୍ତୁ ପ୍ରବଳ ବର୍ଷା ନେଇ ଆସୁଛି ଅବପାତ।

ପାଣିପାଗ ବିଭାଗ ଆକଳନ କରିଛି, ୨୨ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓ ଦକ୍ଷିଣର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୩ରୁ ୨୫ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ୨୩ ଓ ୨୪ରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଜଗତସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଏହାବାଦ୍ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୪ରେ ଦକ୍ଷିଣର ବିଭିନ୍ନ ଜିଲ୍ଲାରେ ଅତି ଭାଷଣ ବର୍ଷା ନେଇ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ସହ ଉତ୍ତରର କିଛି ଜାଗାରେ ବି ପ୍ରବଳ ବର୍ଷା ହୋଇପାରେ। ୨୫ରେ ଦକ୍ଷିଣରୁ ପଶ୍ଚିମକୁ ବର୍ଷା ପ୍ରକୋପ ବଢ଼ିବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହିଛନ୍ତି, ୨୨ରେ ସ୍ଥିତି ସ୍ପଷ୍ଟ ହେବ। ୨୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉପକୂଳ ସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଓ ୨୩ରୁ ୨୬ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ସମ୍ଭାବନା ଅଛି । ଏହା ପ୍ରଭାବରେ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୨ରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣରେ ବର୍ଷା ଅଧିକ ରହିପାରେ। ୨୩ରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ସଂଲଗନ ଜିଲ୍ଲାରେ ତୀବ୍ର ବର୍ଷା ସହ କେତେକ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ୨୪ରେ ଦକ୍ଷିଣ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ବିସ୍ତାରିତ ବର୍ଷା ସହ ଅତି ଭୀଷଣ ବର୍ଷା ସମ୍ଭାବନା ଅଛି। ୨୫ରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ। ୨୬-୨୭ରେ ବର୍ଷା ପ୍ରକୋପ ଧୀରେ ଧୀରେ କମିପାରେ। ଚାଷୀମାନେ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରିବା ଉଚିତ। ବର୍ତ୍ତମାନ ସାର ପ୍ରୟୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଲଗାଣ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଲୋକସେବା ଭବନରେ ସୋମବାର ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଅଗ୍ନିଶମ, ଜଳ ସମ୍ପଦ, ବିଦ୍ୟୁତ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏସଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବାକୁ କୁହାଯାଇଥିଲା। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି।