ନୂଆଦିଲ୍ଲୀ, ୧୨।୧୧ : ଯଦି ଜଣେ ବ୍ୟକ୍ତି ଭାରତରେ ବିବାହ କରନ୍ତି । ଏହା ପରେ ସେ ବିଦେଶ ଚାଲିଯାଆନ୍ତି । ସେଠାର ଏକ କୋର୍ଟରେ ପତ୍ନୀଙ୍କ ସହ ବିବାହ ବିଛେଦ ହୋଇଯାଏ । ଅର୍ଥାତ ଭାରତରେ ହୋଇଥିବା ବିବାହକୁ ବାହାର ଦେଶର କୋର୍ଟ ବିଚ୍ଛେଦ କରିଥିଲେ ଭାରତରେ ଏହାକୁ ଗ୍ରହଣ କରାଯିବ ନା ନାହିଁ ସେନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିଦେଶରେ ହୋଇଥିବା ବିବାହ ବିଚ୍ଛେଦ ଭାରତରେ ଗ୍ରହଣୀୟ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏଥିପାଇଁ ଭାରତୀୟ ଆଇନର ସର୍ତ୍ତ ପାଳନ କରିବାକୁ ହେବ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଏବଂ ଜଷ୍ଟିସ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ବିବାହକୁ ଶେଷ କରିବା ପାଇଁ ବିଦେଶୀ କୋର୍ଟଙ୍କ ନିଷ୍ପତ୍ତି ମଧ୍ୟ ଭାରତର ଆଇନକୁ ଆଧାର କରି ହେବା ଆବଶ୍ୟକ । ଏଥିପାଇଁ ସିଭିଲ ପ୍ରକ୍ରିୟା ସମେତ ସିପିସିର ଧାରା ୧୩ରେ ଥିବା ସର୍ତ୍ତ ପୂରଣ କରିବା ମଧ୍ୟ ଜରୁରୀ ।

Also Read :- ବିରାଟ କୋହଲିଙ୍କ ପାଇଁ ଦମଦାର ବ୍ୟାଟିଂ କରିଥିଲେ ସେହ୍ୱାଗଙ୍କ ପୁଅ ! ଭାଇରାଲ ହେଲା ପୁରୁଣା ଭିଡିଓ

କୋର୍ଟ ଆହୁରି କହିଛନ୍ତି ଯେ, ଯଦି ବିବାହ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁସାରେ ହୋଇଥାଏ ତାହାଲେ କେବଳ ବିବାହ ଭାଙ୍ଗିଯିବା ଛାଡପତ୍ରର କାରଣ ହେବ ନାହିଁ । ଭାରତୀୟ ଆଇନରେ ଏପରି ଛାଡପତ୍ର ବୈଧ ନୁହେଁ । ଅର୍ଥାତ କୌଣସି ବ୍ୟକ୍ତି ବିଦେଶରେ ଛାଡପତ୍ର ନେଲେ ଭାରତରେ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ହୋଇଯାଇଛି ଭାବିବା ଠିକ୍ ନୁହେଁ । କେଉଁ ଆଧାରରେ ଛାଡପତ୍ର ମିଳିଛି ଏବଂ ଭାରତୀୟ ନିୟମ ଅନୁସାରେ ଏହା ହୋଇଛି ନା ନାହିଁ ତାହା ମଧ୍ୟ ଦେଖିବାକୁ ହେବ ।

ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶୀ କୋର୍ଟରେ ଛାଡପତ୍ର ନେଲେ ଦ୍ୱିତୀୟ ବିବାହ ପାଇଁ ରାସ୍ତା ସଫା ହୋଇଯିବ ନାହିଁ । ପ୍ରଥମ ବିବାହକୁ ଭାରତୀୟ ଆଇନ ଅନୁସାରେ ହିଁ ବିଚ୍ଛେଦ କରାଯାଇ ପାରିବ । ଯଦି ଭାରତୀୟ ଆଇନକୁ କେହି ନଜରଅନ୍ଦାର କରିଥାନ୍ତି ତାହାଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଏହି ନିୟମ ସେହି ସବୁ ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ ଯେଉଁ ବ୍ୟକ୍ତି ବିବାହ ପରେ ବାହାର ଦେଶର ନାଗରିକତା ନେଇଥିବେ । ଭାରତୀୟ ଆଇନ ଅନୁସାରେ ହୋଇଥିବା ବିବାହକୁ ବିଦେଶୀ କୋର୍ଟରେ ଛାଡ଼ପତ୍ର ପରେ ବି ବୈଧ ଭାବେ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।