ଭୁବନେଶ୍ୱର ୧୨।୧୧ : ବିରୋଧୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା କାଉଣ୍ଟର । ଫାଇଲିନ୍‌ରୁ ଫନୀ, ବିପର୍ଯ୍ୟୟ ପରିଚାଳନାରେ ପୂର୍ବ ସରକାର କେତେ ସଫଳ ଥିଲେ, ତାହାର ତଥ୍ୟ ରଖିବାକୁ ପଡ଼ିବ । ଗଣତନ୍ତ୍ରରେ ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ରହିଛି, କିନ୍ତୁ ଅଭିଯୋଗ ତଥ୍ୟଭିତ୍ତିକ ହେବା ଦରକାର ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ଇତିହାସରେ ଏଭଳି ପରିମାଣର ବର୍ଷା ପୂର୍ବରୁ ହୋଇନଥିଲା। ସରକାରୀ ତଥ୍ୟ ଅନୁସାରେ, ଅକ୍ଟୋବର ୨୮ ତାରିଖରେ ୮୩ ମିଲିମିଟର, ୨୯ ତାରିଖରେ ୧୯୧ ମିଲିମିଟର ଏବଂ ଏହାପରେ ୬୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହି ତିନି ଦିନରେ ଜିଲ୍ଲାରେ ମୋଟ୍ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା। ସେହିପରି ପାତ୍ରପୁର ବ୍ଲକ୍‌ରେ ୮୦୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।  ଏହା ଓଡ଼ିଶାର ବର୍ଷା ଇତିହାସରେ ଚତୁର୍ଥ ସର୍ବାଧିକ ରେକର୍ଡ।

ଏହାପରେ ପୂର୍ବ ସରକାରଙ୍କ ସମୟର ବିପର୍ଯ୍ୟୟ ପରିଚାଳନାର ତଥ୍ୟ ରଖିଛନ୍ତି ମନ୍ତ୍ରୀ। ତାଙ୍କ କହିବା ଅନୁସାରେ, ୧୯୯୦ ମସିହାରେ ୨୯୮.୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୨୦୧୩ ମସିହାରେ ଫାଇଲିନ୍ ସମୟରେ ୨୦୫.୫ ମିଲିମିଟର ବର୍ଷା ହୋଇଥିଲା। ସେହି ସମୟରେ ବନ୍ୟାରେ ୨୨ ଜଣ ଏବଂ ବାତ୍ୟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। ଅର୍ଥାତ୍ ଫାଇଲିନ୍ ସମୟରେ ମୋଟ୍ ୪୫ ଜଣଙ୍କ ଜୀବନ ଯାଇଥିଲା।  ୨୦୧୮ର ତିତଲି ବାତ୍ୟାରେ ୭୨ ଜଣ ଏବଂ ୨୦୧୯ ମସିହାର ଫନୀ ବାତ୍ୟାରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ରଖିଛନ୍ତି ସୁରେଶ ପୂଜାରୀ। ଏହି ତଥ୍ୟ ଆଧାରରେ ପୂର୍ବ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଚଳିତ ବର୍ଷର ବନ୍ୟା ଓ ବର୍ଷା ବିପର୍ଯ୍ୟୟ ସମୟରେ ମୋହନ ସରକାରଙ୍କ ପକ୍ଷରୁ କେଉଁ କେଉଁ ପଦକ୍ଷେପ ନିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ରଖିଛନ୍ତି ମନ୍ତ୍ରୀ। ବିପର୍ଯ୍ୟୟ ମୁକାବିଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା। ବଡ଼ ବଡ଼ ଅଧିକାରୀମାନଙ୍କୁ ମଧ୍ୟ ଆଗୁଆ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା। ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରାଯାଇଥିଲା।

ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ତିନିଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବା କହିଛନ୍ତି ମନ୍ତ୍ରୀ। ପ୍ରଭାବିତ ପରିବାରଙ୍କ ପାଇଁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ତାହାର ତଦାରଖ ପାଇଁ ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ନିୟୋଜିତ କରାଯାଇଥିବା ମଧ୍ୟ ସେ କହିଛନ୍ତି।

Also Read:-୨୪ ବର୍ଷରେ ବିପର୍ଯ୍ୟୟ ପରିଚାଳନା କାହିଁକି ହେଲାନି ସୁଦୃଢ଼ ? ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ପ୍ରଶ୍ନ

କେବଳ ରିଲିଫ୍ ଓ ତତ୍କାଳୀନ ସହାୟତା ନୁହେଁ, ଭବିଷ୍ୟତର ବନ୍ୟା ପରିଚାଳନାକୁ ନେଇ ମଧ୍ୟ ପୂର୍ବ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ। ଋଷିକୂଲ୍ୟା ନଦୀରେ ଭଞ୍ଜନଗର ଓ ଅନ୍ୟ ଅଞ୍ଚଳରେ ଛଅଟି ଗେଟ୍ ଥିବା ବେଳେ ସୋରଡ଼ାରେ କୌଣସି ଗେଟ୍ ନଥିବା କହିଛନ୍ତି। ଦୀର୍ଘ ୨୪ ବର୍ଷର ଶାସନ ସମୟରେ ଏହି ସମସ୍ୟା ଉପରେ ପୂର୍ବ ସରକାର କାହିଁକି ଧ୍ୟାନ ଦେଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଯେଉଁଠି ଗେଟ୍ ନାହିଁ, ସେଠାରେ ଜଳ ପ୍ରବାହକୁ କିପରି ନିୟନ୍ତ୍ରଣ କରାଯିବ, ତାହାର ଉତ୍ତର ବିରୋଧୀ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ଭିତ୍ତିଭୂମି ବିକାଶ ନେଇ ସରକାର ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରୁଛନ୍ତି। ଭବିଷ୍ୟତରେ ବନ୍ୟାର ପ୍ରଭାବ କମାଇବା ଓ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ଦିଗରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉଛି।

ଏବେ ନଜର ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ଉପରେ। ଗଞ୍ଜାମ ବନ୍ୟା ପରିଚାଳନା ସମେତ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଯେକୌଣସି ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସୁରେଶ ପୂଜାରୀ। ସମସ୍ତ ରାଜନୈତିକ ଦଳକୁ ଆଲୋଚନା ପାଇଁ ଆହ୍ୱାନ ଦେବା ସହ ପୂର୍ବ ସରକାରଙ୍କୁ ଗତ ୨୪ ବର୍ଷର କାର୍ଯ୍ୟକାଳର ତଥ୍ୟ ରଖିବାକୁ କହିଛନ୍ତି। ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ। କେବଳ ପ୍ରଶ୍ନ କରିଦେଲେ ହେବନି, ଉତ୍ତର ଦେବାର ମଧ୍ୟ ଆବଶ୍ୟକତା ରହିଛି। ସାମଗ୍ରିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଦୀର୍ଘ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ, ବିରୋଧୀ ମଧ୍ୟ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ।

Watch Video:-