ରାୟଗଡ଼ା ୧୨।୧୧: ଶତାଧିକ ଲୋକଙ୍କ ରାସ୍ତରୋକ । ସିଏ ପୁଣି ରାସ୍ତା ପାଇଁ । ଆନ୍ଧ୍ରକୁ ଯାତାୟାତ ଠପ୍ । ରାୟଗଡ଼ା ସଦର ବ୍ଲକ୍ କେରେଡ଼ା ନିକଟ ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଧାରଣା ଦେଇଛନ୍ତି ୫ରୁ ୬ଟି ଗାଁର ଶତାଧିକ ଲୋକ । ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବାରୁ ଶେଷରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଦୀର୍ଘ ୧୦ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି ଏହି ଗ୍ରାମବାସୀ । ଏପରିକି ୨୦୨୬ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଆର୍.ଡି. ବିଭାଗ ପକ୍ଷରୁ ସର୍ଭେ ହୋଇଥିଲେ ମଧ୍ୟ କାମ ଆଗେଇ ନାହିଁ । ପାହାଡ଼ କାଟି ରାସ୍ତା ନିର୍ମାଣ ଉଦ୍ୟମକୁ ମଧ୍ୟ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ରାସ୍ତା ନିର୍ମାଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Also Read:- ୨୦୧୧ ବନ୍ୟାରେ ୮୦ ମୃତ୍ୟୁ, ୪୦ ଲକ୍ଷ ପ୍ରଭାବିତ; ନବୀନ-ସୁରେଶଙ୍କୁ ପ୍ରଶ୍ନ କଲେ ଅନୀଲ ବିଶ୍ୱାଳ

ପ୍ରାୟ ୨.୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ପ୍ରଶାସନ ଉଦ୍ୟମ କରିଥିଲା । ମାତ୍ର ଓଡ଼ିଶା ଅଞ୍ଚଳରେ ରାସ୍ତା ନିର୍ମାଣକୁ ରାୟଗଡ଼ା ପ୍ରଶାସନ ବନ୍ଦ କରି ନିଜେ ପକ୍କା ରାସ୍ତା ନିର୍ମାଣ କରିବାକୁ କହିଥିଲା । ହେଲେ ପ୍ରତିଶ୍ରୁତି ପରେ ମଧ୍ୟ ରାସ୍ତା ନିର୍ମାଣ ହୋଇନଥିବାରୁ ଏବେ ଅସନ୍ତୋଷ ବଢ଼ିଛି ।