• ସେମାନେ ଗତ ମାର୍ଚ୍ଚ ମାସରେ ଦିବ୍ୟାଙ୍ଗଙ୍କ ଲାଗି ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା କୋର୍ଟ ଜାଣିବାକୁ ପାଇଛନ୍ତି
  • ହାଛଡା ସେମାନେ ଦିବ୍ୟାଙ୍ଗଙ୍କ ଲାଗି କାମ କରୁଥିବା ସଂସ୍ଥାଙ୍କ ନିମନ୍ତେ ସଚେତନତା ବଢାଇବାକୁ ମଧ୍ୟ କାମ କରିଛନ୍ତି
  • ପୀଠ କହିଛନ୍ତି ଯେ ‘ଯେତେବେଳେ ବାସ୍ତବିକ ପ୍ରୟାସ କରାଯାଏ, ସେତେବେଳେ ସକରାତ୍ମକ ପରିଣାମ ଅବଶ୍ୟ ମିଳିଥାଏ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କମେଡିୟାନ ସମୟ ରୈନା ଓ ୪ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ବିରୋଧରେ ଦିବ୍ୟାଙ୍ଗ ଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀକୁ ନେଇ ଶୁକ୍ରବାର ଅପରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଛନ୍ତି। ଏହା ସହିତ ସମୂଦାୟ ଲାଗି ସଚେତନତା ଓ ସମ୍ମାନ ବଢାଇବା ପାଇଁ ସେମାନଙ୍କ ପରବର୍ତ୍ତି ପ୍ରୟାସକୁ କୋର୍ଟ ମାନ୍ୟତା ଦେଇଛନ୍ତି। ରୈନାଙ୍କ ସହିତ କୋର୍ଟ କମେଡିୟାନ ବିପୁଲ ଗୋୟଲ, ବଲରାମ ପରମଜିତ ସିଂହ ଘଇ, ସୋନାଲୀ ଠକ୍କର ଓ ନିଶାନ ଜଗଦ୍ଦୀଶ ତନୱାରଙ୍କ ବିରୋଧରେ ଏଫଆଇର ଓ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ଦେଇଛନ୍ତି।

ଏହା ୫ ଜଣଙ୍କ ଦ୍ୱାରା କରାଯାଉଥିବା ବ୍ୟଙ୍ଗାତ୍ମକ ସୋରୁ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ସ୍ପାଇନାଲ ମସ୍କୁଲର ଏଟ୍ରଫି ଓ ଅନ୍ୟ ବିରଳ ରୋଗରେ ଆକ୍ରାନ୍ତ ଲୋକଙ୍କ ସହ କାମ କରୁଥିବା ଏସ୍ଏମଏ କ୍ୟୋର ଫାଉଣ୍ଡେସନ ନାମକ ସଂସ୍ଥା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ମାମଲାରେ ସେତେବେଳେ ମୋଡ ଆସିଥିଲା ଯେତେବେଳେ ସୁପ୍ରିମ କୋର୍ଟ ଇନଫ୍ଲୁଏନସରଙ୍କୁ ଦିବ୍ୟାଙ୍ଗଙ୍କ ସହାୟତା ନିମନ୍ତେ ରଚନାତ୍ମକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହିକ୍ରମରେ ସେମାନେ ଗତ ମାର୍ଚ୍ଚ ମାସରେ ଦିବ୍ୟାଙ୍ଗଙ୍କ ଲାଗି ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା କୋର୍ଟ ଜାଣିବାକୁ ପାଇଛନ୍ତି। ଏହାଛଡା ସେମାନେ ଦିବ୍ୟାଙ୍ଗଙ୍କ ଲାଗି କାମ କରୁଥିବା ସଂସ୍ଥାଙ୍କ ନିମନ୍ତେ ସଚେତନତା ବଢାଇବାକୁ ମଧ୍ୟ କାମ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି.ମୋହନାଙ୍କ ପୀଠ କହିଛନ୍ତି ଯେ ସେମାନଙ୍କ ପ୍ରୟାସରୁ ସକରାତ୍ମକ ପରିଣାମ ମିଳିଥିବା ଦେଖା ଯାଉଛି। ପୀଠ କହିଛନ୍ତି ଯେ ‘ଯେତେବେଳେ ବାସ୍ତବିକ ପ୍ରୟାସ କରାଯାଏ, ସେତେବେଳେ ସକରାତ୍ମକ ପରିଣାମ ଅବଶ୍ୟ ମିଳିଥାଏ’।

କୋର୍ଟ କହିଛନ୍ତି ଯେ ଯୁବବର୍ଗ ଖୁବ୍ ପ୍ରତିଭାଶାଳୀ, ଯଦି ଏମାନେ ସକରାତ୍ମକ ଦିଗରେ କାମ କରିବା ଆରମ୍ଭ କରିଛନ୍ତି ତେବେ ସେମାନଙ୍କୁ ସକରାତ୍ମକ ପରିଣାମ ମିଳିବ। ଏଥିରେ ଏସଏମଏ ଫାଉଣ୍ଡେସନ ପକ୍ଷରୁ ହାଜର ଓକିଲ ଅପରାଜିତା ସିଂହ କୋର୍ଟଙ୍କୁ କହିଛନ୍ତି ଯେ ଇନଫ୍ଲୁଏନସର୍ସ ‘ବସ୍ତବିକ୍ ପ୍ରୟାସ’ କରିଥିଲେ ଓ କୋର୍ଟଙ୍କ ପୂର୍ବ ହସ୍ତକ୍ଷେପ ପରେ ଫାଉଣ୍ଡେସନ ସହ ଜଡିତ ହେବାକୁ ଉଦ୍ୟମ କରିଥିଲେ। ପ୍ରତିବାଦୀ ଓକିଲଙ୍କ ଆଭିମୁଖ୍ୟ ଜାଣିବା ପରେ କୋର୍ଟ ୫ ଜଣଙ୍କ ବିରୋଧରୁ ରୁଜୁ ଏଫଆଇଆର ଓ ଅନ୍ୟ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି ଓ ସେମାନଙ୍କ ମାମଲା ଏବେ ବନ୍ଦ ହୋଇଯାଇଛି।

ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦିବ୍ୟାଙ୍ଗ ଲୋକଙ୍କ ଗାରିମାକୁ ଆହୁରି ଭଲଭାବେ କିପରି ସଂରକ୍ଷିତ କରାଯାଇ ପାରିବ ଓ ଏଥି ପାଇଁ ବ୍ୟାପକ ଗାଇଡଲାଇନର ଆବଶ୍ୟକତା ଅଛି କି ନା ଏହି ପ୍ରଶ୍ନର କୋର୍ଟ ପୃଥକ ଯାଞ୍ଚ କରିବେ। କୋର୍ଟଙ୍କ ଏହି ଟିପ୍ପଣୀ ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ବିଭିନ୍ନ କ୍ଷେତ୍ର ସହ ଜଡିତ ଦିବ୍ୟାଙ୍ଗଙ୍କ ଏକ ପ୍ରତିନିଧି ମଣ୍ଡଳ ଭେଟିବାର ଦିନକ ପରେ ଆସିଛି। ସିଜେଇଆଇ କହିଛନ୍ତି ଯେ ’ଏହା ଆମ ଲାଗି ମଧ୍ୟ ବେଶ୍ ଜ୍ଞାନ ବର୍ଦ୍ଧକ ଓ ଆଖି ଖୋଲିଦେବା ଭଳି ଅନୁଭବ ଥିଲା, ଆମେ ସେମାନଙ୍କୁ ନିଜର ପରାମର୍ଶ ପଠାଇବାକୁ ମଧ୍ୟ ଅନୁରୋଧ କରିଛୁ’।

ସିଜେଆଇ କହିଛନ୍ତି ଯେ ଗୁରୁବାର ଆମେ ଯେଉଁମାନଙ୍କୁ ଭେଟିଥିଲୁ ଓ କଥାବାର୍ତ୍ତା ହୋଇଥିଲୁ ତାହା ବେଶ୍ ସନ୍ତୋଷଜନକ ଅନୁଭବ ଥିଲା। ଦିବ୍ୟାଙ୍ଗଙ୍କ ଏହି ପ୍ରତିନିଧି ଦଳରେ ୨୦ ଜଣ ଥିଲେ। ଏମାନଙ୍କ ମଧ୍ୟରେ ନିଧି ମିଶ୍ର, ଅଙ୍କୁର ଧାମା ଓ ମେଜର ଡି.ପି. ସିଂହଙ୍କ ଭଳି ପାରାଲମ୍ପିୟାନ ଓ ଆଥଲେଟଙ୍କ ସହ ଛୋନଜିନ ଅଙ୍ଗମୋ ମଧ୍ୟ ସାମିଲ ଥିଲେ।