ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ହେପାଜତ ବା କଷ୍ଟଡିରେ ନିଆଗଲେ ଥାନାରେ ତାଙ୍କୁ କେତେ ସମୟ ରଖାଯିବା ଦରକାର। ପୁଣି କେତେ ସମୟ ବ୍ୟବଧାନ ଭିତରେ କୋର୍ଟରେ ହାଜର କରାଯିବା ଦରକାର। ଏ ପ୍ରଶ୍ନ ଏବେ ବି ଲାଗି ରହିଛି। ଏହି ପ୍ରଶ୍ନ ଏଥିପାଇଁ ପଚରା ଯାଇଥାଏ କାରଣ ବହୁତ କେସରେ ହେଉ କିମ୍ବା ନିଜ ସ୍ଥାନୀୟ ଥାନାରେ ପୋଲିସ ମନ ଇଚ୍ଛା ଯେତେ ଦିନ ଲୋକଙ୍କୁ ଥାନାରେ ରଖିବାର ଅନେକ ଉଦାହରଣ ରହିଛି। କିନ୍ତୁ ଏହାକୁ ନେଇ ନଭେମ୍ବର ୫ ତାରିଖ ଅର୍ଥାତ ଗୁରୁବାର ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଅଭିଯୁକ୍ତଙ୍କୁ ଧରିବା ଅର୍ଥାତ ହେପାଜତକୁ ନେବା ମାତ୍ରେ ଏହାର ୨୪ ଘଣ୍ଟା ଭିତରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯିବ। ଔପଚାରିକ ଗିରଫ କରିବା ପରେ ନୁହେଁ ବରଂ କଷ୍ଟଡିକୁ ନେବା ମାତ୍ରେ ହିଁ ୨୪ ଘଣ୍ଟାର ସମୟ ସୀମା ଆରମ୍ଭ ହୋଇଥାଏ। କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଅଟକ ରଖିବା ଏବଂ ଗିରଫ କରିବା ଉଭୟ ଗୋଟିଏ ପ୍ରକାର ବ୍ୟକ୍ତିଙ୍କ ସ୍ଵାଧୀନତାକୁ ପ୍ରଭାବିତ କରୁଛି। ଏଥିପାଇଁ ୨୪ ଘଣ୍ଟାର ଗଣତି ସେହି ସମୟରୁ ଆରମ୍ଭ ହୋଇଥାଏ ଯେତେ ବେଳେ ପୋଲିସ କୌଣସି ବ୍ୟକ୍ତିଙ୍କୁ କଷ୍ଟଡି ବା ହେପାଜତରେ ନେଇଥାଏ

Also Read: ଦୁଇରୁ ଅଧିକ ସନ୍ତାନ ଥିଲେ ଲଢିପାରିବେ ପଞ୍ଚାୟତ ନିର୍ବାଚନ ! କ'ଣ କହିଲେ ସୁପ୍ରିମକୋର୍ଟ ?

ସମାଲୋଚନା କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ କିଛି ହାଇକୋର୍ଟଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। କାରଣ କିଛି ହାଇକୋର୍ଟ ହେପାଜତରେ ନେବା ଏବଂ ଔପଚାରିକ ଗିରଫ କରିବା ମଧ୍ୟରେ ଅଲଗା ଅଲଗା ଆଇନଗତ ସ୍ଥିତି ମାନି ପୋଲିସର କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି ଦର୍ଶାଇଛନ୍ତି। ଏହି ସଦ୍ୟତମ ମାମଲା ତ୍ରିପୁରା ହାଇକୋର୍ଟଙ୍କ ଏକ ଆଦେଶ ସହ ଜଡ଼ିତ ରହିଛି। ୨୦୨୫ ସେପ୍ଟେମ୍ବର ୨୯ରେ ଚାରି ବ୍ୟକ୍ତିଙ୍କୁ ପୋଲିସ କଷ୍ଟଡିରେ ନେବା ପରେ ଗିରଫଦାରୀ ସେପ୍ଟେମ୍ବର ୩୦ରେ ହୋଇଥିବା ଦର୍ଶା ଯାଇଥିଲା।

ତୁରନ୍ତ ଛାଡ଼ି ଦେବାର ଥିଲା

ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ପୋଲିସ ଅଧିକାରୀ କୌଣସି ବ୍ୟକ୍ତିଙ୍କୁ ହେପାଜତରେ ନେଉଛନ୍ତି, ସେହି ସମୟରେ ଅନୁଚ୍ଛେଦ ୨୨(୨)ର ଅନିବାର୍ଯ୍ୟ ୨୪ ଘଣ୍ଟାର ସମୟ ସୀମାକୁ ଧ୍ୟାନରେ ରଖିବା ଉଚିତ୍। ଏହା ସହିତ ସୁନିଶ୍ଚିତ କରିବା ଦରକାର ଯେ, BNSSର ଧାରା ୫୮ ଆଧାରରେ ମାମଲାର ପରିସ୍ଥିତିକୁ ଦୃଷ୍ଟିରେ ରଖି କଷ୍ଟଡିର ଅବଧି ୨୪ ଘଣ୍ଟା ଭିତରୁ ଅଧିକ ନ ହେବା ଦରକାର।

Also Read: ଭୁଲ୍ ନମ୍ବର ଡାଏଲ୍ କରିଛନ୍ତି, ଏବେ ଆନ୍ଦୋଳନର ସମୟ... ଆବେଦନକାରୀଙ୍କୁ ଏଭଳି କହିଲେ CJI

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି, ମାଜିଷ୍ଟ୍ରେଟଙ୍କ କର୍ତ୍ତବ୍ୟ ଏହା ଯେ, ଯେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ସାମ୍ନାରେ ହାଜର କରାଯାଉଛି, ସେହି ବ୍ୟକ୍ତିଙ୍କ କଷ୍ଟଡିର ବାସ୍ତବିକ ତାରିଖ ଏବଂ ସମୟକୁ ଲିପିବଦ୍ଧ କରନ୍ତୁ। ଏହାସହ ଯାଞ୍ଚ କରନ୍ତୁ ଯେ, ହେପାଜତକୁ ନେବା ସମୟରୁ ୨୪ ଘଣ୍ଟାର ସମୟ ସୀମାର ପାଳନ କରାଯାଇଛି କି ନାହିଁ। ଯଦି ୨୪ ଘଣ୍ଟାର ସମୟ ସୀମା ଉଲ୍ଲଂଘନ ହୋଇଥାଏ, ତେବେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରି ଦେବା ଉଚିତ୍।