ନୂଆଦିଲ୍ଲୀ, ୦୫/୧୧ : ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ ତଥା ସ୍ଥାନୀୟ ନିର୍ବାଚନ ଲଢ଼ିବାରୁ ରୋକୁଥିବା ଆଇନ ସଂପର୍କରେ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଦେଶରେ ଲଗାତର କମୁଥିବା ପ୍ରଜନନ ହାର ଏବଂ ପରିବର୍ତ୍ତନଶୀଳ ଜନସଂଖ୍ୟକୀୟ ସ୍ଥିତି ପରିପ୍ରେକ୍ଷୀରେ ଏଭଳି ଆଇନ ନିଜର ପ୍ରାସଙ୍ଗିକତା ହରାଇ ସାରିଛି। ଜନସଂଖ୍ୟା ବିସ୍ଫୋରଣର ଭୟ ଏହି ଆଇନ ପଛରେ ମୁଖ୍ୟ ଆଧାର ରହିଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଜନସଂଖ୍ୟା ସଂପର୍କିତ ଦେଶର ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇସାରିଛି । ତେଣୁ ଏହି ଆଇନ ଉପରେ ପୁନର୍ବିଚାର କରାଯିବାର ଆବଶ୍ୟକତା ରହିଛି।

ଏଥିସହ ସୁପ୍ରିମକୋର୍ଟ ‘ଜାଭେଦ ବନାମ ହରିୟାଣା ରାଜ୍ୟ ମାମଲା(୨୦୦୩) କୁ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ୨୦୦୩ରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ହରିୟାଣାର ପଞ୍ଚାୟତିରାଜ ଅଧିନିୟମ, ୧୯୯୪ର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିଲେ । ସେହି ନିୟମ ଅନୁସାରେ ୨ରୁ ଅଧିକ ଜୀବିତ ସନ୍ତାନ ଥିବାରୁ ପ୍ରାର୍ଥୀଙ୍କୁ ସ୍ଥାନୀୟ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

ଜଷ୍ଟିସ ପିଏସ୍ ନରସିହ୍ନା ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି, ଭାରତର ମୋଟ ପ୍ରଜନନ ହାର ୨୦୦୩ରେ ୩ ଥିଲା । ଏବେ ତାହା କମି ୧.୯ ରହିଯାଇଛି । ୨.୧ ପ୍ରଜନନ ହାରକୁ ପ୍ରତିସ୍ଥାପନ ହାର ଭାବେ ମନେ କରାଯାଏ। ତେଣୁ ଏହି ପରିବର୍ତ୍ତନକୁ ଅଣଦେଖା କଲେ ପରିଣାମ ଗୁରୁତର ହୋଇପାରେ। ସେହି ଭଳି ଏକାଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବାରୁ ରୋକୁଥିବା ଆଇନ ନାଗରିକମାନଙ୍କର ଏକ ପୂରା ବର୍ଗକୁ ରାଜନୈତିକ ପ୍ରତିନିଧିତ୍ୱରୁ ବାହାର କରିଦିଏ। ଏଭଳି ଆଇନ ଲୋକଙ୍କୁ ସନ୍ତାନ ଜନ୍ମ କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବା ମଧ୍ୟରୁ କୌଣସି ଗୋଟିଏ ବିକଳ୍ପକୁ ବାଛିବାକୁ ବାଧ୍ୟ କରିଥାଏ । ଏହାଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ପ୍ରଜନନ ସହ ଜଡ଼ିତ ନିଷ୍ପରି ନେବାର ସ୍ବାଧୀନତାର ଅଧିକାରର ଉଲଂଘନ ହୋଇଥାଏ।

Also Read :- ଦୁର୍ବଳ ହେଉଛି ବାତ୍ୟା ମୁରାସୁ, ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା !

ମାମଲାରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର କାକୋଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଲା ଭୀମରାଓଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛନ୍ତି । ତୃତୀୟ ସନ୍ତାନ ଜନ୍ମ ପରେ ତାଙ୍କୁ ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୫୯ର ଧାରା ୧୪(୧)(ଜେ-୧) ଅନୁସାରେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ପରେ ସେ ଅତିରିକ୍ତ କମିଶନରଙ୍କ ନିକଟରେ ଏହା ବିରୋଧରେ ଅପିଲ କରିଥିଲେ। କିନ୍ତୁ ତାଙ୍କୁ ଆଶ୍ବସ୍ତି ମିଳିନଥିଲା । ବମ୍ବେ ହାଇକୋର୍ଟ ମଧ୍ୟ ଗତବର୍ଷ ଅଗଷ୍ଟ ୫ରେ ତାଙ୍କର ଅଯୋଗ୍ୟତାକୁ କାଏମ ରଖିଥିଲେ । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୂଚନାଥାଉକି, ଦେଶର ୫ଟି ରଜ୍ୟରେ ଏବେ ମଧ୍ୟ ଏହି ନିୟମ ଲାଗୁ ରହିଛି ।