ନୂଆଦିଲ୍ଲୀ: ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଆସନଗୁଡ଼ିକର ପର୍ଯ୍ୟାୟକ୍ରମେ ପରିବର୍ତ୍ତନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏହି ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି CJI ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କହିଥିଲେ ଯେ, ‘ଆପଣ ଭୁଲ୍ ନମ୍ବର ଡାଏଲ୍ କରିଛନ୍ତି, ଏବେ ଧାରଣା ଓ ଆନ୍ଦୋଳନର ଋତୁ ଚାଲିଛି, ଆପଣ ମଧ୍ୟ ଆନ୍ଦୋଳନ କରିପାରିବେ।’ 

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ମଣ୍ଡଳୀ ସଂରକ୍ଷଣର ପରିବର୍ତ୍ତନ ପାଇଁ ଆବେଦନକାରୀ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରିବେ। ମାତ୍ର ଆଇନଗତ ଭାବରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି।

 ହାଇକୋର୍ଟ 'ସୀମା ନିର୍ଦ୍ଧାରଣ ଆଇନ, ୨୦୦୨' ର ସେକ୍ସନ ୯(୧)(ସି) ର ବୈଧତାକୁ ସ୍ୱୀକୃତି ଦେଇଥିଲେ । ଏହି ଆଇନ ଦ୍ବାରା ଅଧିକ SC/ST ଜନସଂଖ୍ୟା ଥିବା ଅଞ୍ଚଳକୁ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଭାବରେ ଚିହ୍ନଟ କରାଯାଏ। ଶୁଣାଣି ସମୟରେ ବିଚାରପତି ବାଗଚୀ ମନ୍ତବ୍ୟ ଦେଇଥିଲେ ଯେ, ଏକ ବହୁଦଳୀୟ ଗଣତନ୍ତ୍ରରେ ଭୋଟରମାନେ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ, ବରଂ ରାଜନୈତିକ ଆଦର୍ଶବାଦ ଆଧାରରେ ଭୋଟ୍ ଦେବା ଉଚିତ୍। 

ଆବେଦନକାରୀ ଜଗଦୀଶ ସିଂହ ନିଜ ନିର୍ବାଚନ ମଣ୍ଡଳୀ ପ୍ରାୟ ୭ ଦଶନ୍ଧି ଧରି ଅସୂଚିତ ଜାତି ପାଇଁ ସଂରକ୍ଷିତ ରହିବାକୁ ଚ୍ୟାଲେଞ୍ଜ କରିଥିଲେ। ସେ ଦାବି କରିଥିଲେ ଯେ, ଆସନ ପରିବର୍ତ୍ତନ ବ୍ୟବସ୍ଥା ନଥିବାରୁ ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୧୯ ର ଉଲ୍ଲଂଘନ କରୁଛି ।  ଭୋଟରଙ୍କ ପସନ୍ଦକୁ କେବଳ SC ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ସୀମିତ ରଖୁଛି। ଏହାସହ ଏହି ସଂରକ୍ଷଣ ବ୍ୟବସ୍ଥା ସମଗ୍ର ସମାଜ ବଦଳରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ପରିବାରକୁ ଫାଇଦା ପହଞ୍ଚାଉଛି ବୋଲି ସେ ଅଭିଯୋଗ କରିଥିଲେ।