ନୂଆଦିଲ୍ଲୀ, ୦୫/୧୧ : ପଞ୍ଜାବର ଜଳନ୍ଧରରେ ଚାଲିଥିବା ନବମ ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସେମି ଫାଇନାଲରେ ୮-୧ ଗୋଲରେ ଦକ୍ଷିଣ କାରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ସ୍ପର୍ଣ୍ଣ ଲଢ଼େଇରେ ଦଳ ଆଜି ଜାପାନକୁ ଭେଟିବ।

ଭାରତ ବେଶ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚକୁ ଦଳ ଆରମ୍ଭରୁ (୪ର୍ଥ ମିନିଟ) ଶେଷ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖିଥୁଲା। ଓଡ଼ିଆ ଫରୱାର୍ଡ ଶିଳାନନ୍ଦ ଲାକ୍ରା ପ୍ରଥମେ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ନବମ ମିନିଟରେ ହର୍ମନପ୍ରୀତ ସିଂ ଦ୍ଵିତୀୟ ଏବଂ ୧୩ ମିନିଟରେ ଶିଳାନନ୍ଦ ତୃତୀୟ ଗୋଲ ସ୍କୋର କରିଥିଲେ।

Also Read :- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ, ଦକ୍ଷିଣ କୋରିଆକୁ ୮-୧ ଗୋଲରେ କଲା ପରାସ୍ତ

୯ମ ମିନିଟରେ ଦକ୍ଷିଣ କୋରିଆ ଗୋଟିଏ ଗୋଲ ପରିଶୋଧ କରିଥିଲା। ଦ୍ଵିତୀୟ କ୍ୱାର୍ଟରରେ ୨୧ ମିନିଟରେ ସୁଖଜିତ ସିଂ ଏବଂ ୨୧ ଓ ୨୫ ମିନିଟରେ ଦିଲପ୍ରୀତ ସିଂ ଗୋଲ ଦେଇ ଦଳକୁ ୬-୧ ଗୋଲରେ ଆଗୁଆ କରାଇଥିଲେ। କୋରିଆ ମ୍ୟାଚକୁ ଫେରିବା ନେଇ ଜୋରଦାର ପ୍ରୟାସ କରିଥିଲା। କିନ୍ତୁ ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇ ନଥିଲେ।

ପୁଣି ୩୬ ମିନିଟରେ ଅଙ୍ଗଦ ସିଂ ଓ ୫୪ ମିନିଟରେ ବିବେକ ସାଗର ପ୍ରସାଦ ଆଉ ୨ଟି ଗୋଲ ଦେଇଥିଲେ। ଭାରତ ୮-୧ରେ ଅଗ୍ରଣୀ ହେବା ପରେ ଦକ୍ଷିଣ କୋରିଆ ଚାପଗ୍ରସ୍ତ ହୋଇଥିଲା। ତଥାପି ଦଳ ଶେଷ ୬ ମିନିଟରେ କଡ଼ା ଟକ୍ଟର ଦେଇଥିଲା। ଶେଷରେ କୋରିଆ ପରାଜିତ ହୋଇ ସ୍ୱର୍ଣ୍ଣ ଦୌଡ଼ରୁ ବାଦ ପଡ଼ିଥିଲା।

ଅନ୍ୟ ଏକ ସେମି ଫାଇନାଲରେ ଜାପାନ-ମାଲେସିଆ ମ୍ୟାଚ ନିର୍ଦ୍ଧାରିତ ସମୟ ଗୋଲ ଶୂନ୍ୟ ରହିଥିଲା I ଶେଷରେ ସୁଟଆଉଟରେ ଜାପାନ ୫-୩ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଆଜି ବ୍ରୋଞ୍ଜ ଲଢ଼େଇରେ ଦକ୍ଷିଣ କୋରିଆ ଓ ମାଲେସିଆ ମୁହାଁମୁହିଁ ହେବେ ।