ନୂଆଦିଲ୍ଲୀ: ପ୍ୟାକେଜଡ୍‌ ଫୁଡ୍‌ ବା ପ୍ୟାକେଟରେ ମିଳୁଥିବା ଖାଦ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  । ପ୍ୟାକେଟ୍‌ ଫୁଡ୍‌ ଉପରେ ଏଣିକି ସଲ୍ଟ, ସୁଗାର ଏବଂ ଫ୍ୟାଟ୍‌ କେତେ ମାତ୍ରାରେ ମିଶିଛି, ସେନେଇ ପୃଥକ ଭାବରେ ସୂଚନା ଦିଆଯିବ । ବଜାରରେ ମିଳୁଥିବା ବିଭିନ୍ନ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀର ପ୍ୟାକେଟ୍‌ ଉପରେ ଲୁଣ, ଚିନି ଏବଂ ଚର୍ବିର (ଫ୍ୟାଟ୍‌) ମାତ୍ରା ସଂପର୍କରେ ଅଲଗା ଅଲଗା ସତର୍କ ସୂଚନା ଦେବା ବାଧ୍ୟତାମୂଳକ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଏବଂ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (FSSAI) କୁ ଏନେଇ ଦିଗରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନେ ଯେପରି କୌଣସି ଖାଦ୍ୟ ପ୍ୟାକେଟ୍‌ କିଣିବା ସମୟରେ ତା'ର ସମ୍ମୁଖ ଭାଗରେ ହିଁ ସେଥିରେ ଥିବା ଅତ୍ୟଧିକ ଚର୍ବି, ଚିନି ଏବଂ ଲୁଣ ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇପାରିବେ, ତାହା ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି।ଜଷ୍ଟିସ୍‌ ଜେ.ବି. ପାରଦିୱାଲା ଏବଂ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ FSSAIକୁ ଆସନ୍ତା ଚାରି ମାସ ମଧ୍ୟରେ ନୂତନ ଲେବଲିଂ ନିୟମାବଳୀ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ କ୍ଷତିକାରକ ଉପାଦାନ ପାଇଁ ପ୍ୟାକେଟ୍‌ ଉପରେ ଗୋଟିଏ ମିଳିତ ଚିହ୍ନ ପରିବର୍ତ୍ତେ ଅଲଗା ଅଲଗା ଷଡ଼ଭୁଜାକାର ଚେତାବନୀ ଚିହ୍ନ ରହିବା ଆବଶ୍ୟକ। ଅର୍ଥାତ୍‌, ଯଦି କୌଣସି ଖାଦ୍ୟ ସାମଗ୍ରୀରେ ଚିନି ଏବଂ ଲୁଣ ଉଭୟର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥାଏ, ତେବେ ପ୍ୟାକେଟ୍‌ ଉପରେ ଦୁଇଟି ଭିନ୍ନ ଭିନ୍ନ ଚେତାବନୀ ଚିହ୍ନ ରହିବ। ସେହିପରି ଯଦି ତିନୋଟି ଯାକ ଉପାଦାନ ଅଧିକ ଥାଏ, ତେବେ ତିନୋଟି ଅଲଗା ଅଲଗା ଚିହ୍ନ ଲଗାଯିବ। ଏହି ଚିହ୍ନଗୁଡ଼ିକରେ ସ୍ପଷ୍ଟ ଭାବରେ ‘HIGH FAT’, ‘HIGH SUGAR’କିମ୍ବା ‘HIGH SALT’ ଲେଖାଯିବ । 

ଦୋକାନରୁ ସାମଗ୍ରୀ କିଣିବା ସମୟରେ ଗ୍ରାହକଙ୍କ ଆଖିରେ ଯେପରି ଏହା ସହଜରେ ପଡ଼ିବ, ସେଥିପାଇଁ ଲେବଲ୍‌ର ଆକାର ବଡ଼ ରଖିବା ସହ ଅକ୍ଷରର ସାଇଜ୍‌ ନିର୍ଦ୍ଧାରଣ କରିବାକୁ କୋର୍ଟ FSSAI କୁ କହିଛନ୍ତି। ଖାଦ୍ୟରେ ଏହି ଉପାଦାନଗୁଡ଼ିକର ସୀମା କିପରି ନିର୍ଦ୍ଧାରଣ କରାଯିବ, ସେ ନେଇ ମଧ୍ୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ୟାକେଟ୍‌ ଖାଦ୍ୟରେ କେବଳ ବାହାରୁ ମିଶାଯାଇଥିବା ଚିନି କିମ୍ବା ଚର୍ବି ପରିବର୍ତ୍ତେ ସମୁଦାୟ ଚିନି  ଏବଂ ସାଚୁରେଟେଡ୍‌ ଫ୍ୟାଟ୍‌ର ମାତ୍ରାକୁ ହିସାବକୁ ନେଇ ସତର୍କ ସୂଚନା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।