ଚେନ୍ନାଇ: ତାମିଲନାଡୁରେ ବକ୍ରିଦ୍ କିମ୍ବା ଅନ୍ୟ କୌଣସି ଦିନରେ ଗୋହତ୍ୟା କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ହାଇକୋର୍ଟଙ୍କର ଏହି ଆଦେଶରେ "ସଂଶୋଧନ"ର ଆବଶ୍ୟକତା ରହିଛି। ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ନେତୃତ୍ୱାଧୀନ 'ତାମିଲଗା ଭେଟ୍ରି କାଝଗମ' (TVK) ସରକାର ମାଡ୍ରାସ ହାଇକୋର୍ଟଙ୍କ ଗତ ମେ ୨୭ ର ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟ ୧୯୭୬ ମସିହାର ଏକ ପୁରୁଣା ସରକାରୀ ଆଦେଶକୁ ଆଧାର କରି ସମଗ୍ର ରାଜ୍ୟରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ।

ରାଜ୍ୟର ପ୍ରଚଳିତ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଗାଈମାନଙ୍କୁ ଚିହ୍ନିତ ସ୍ଥାନରେ ହତ୍ୟା ବା ବଳି ଦେବା ପାଇଁ ଅନୁମତି ରହିଛି। ଯେଉଁଠି ସମ୍ବିଧାନ ଓ ଆଇନ ନିଜେ ଏହି ଅନୁମତି ଦେଉଛି, ସେଠାରେ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ଏଭଳି ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇବା ଉଚିତ ନୁହେଁ ବୋଲି ଯୁ୍କ୍ତି ଦେଇଥିଲେ ବିଜୟଙ୍କ ସରକାର ।  ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଜି.ଆର. ସ୍ୱାମୀନାଥନ ଏବଂ ଜଷ୍ଟିସ ଭି. ଲକ୍ଷ୍ମୀନାରାୟଣନଙ୍କୁ ନେଇ ଗଠିତ ବେଞ୍ଚ ଅଗଷ୍ଟ ୧୯୭୬ର ଏକ ସରକାରୀ ଆଦେଶକୁ ଲାଗୁ କରିବାକୁ କହିଥିଲେ। ସେହି ସମୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ଗୋହତ୍ୟାକୁ ନିଷେଧ କରାଯାଇଥିଲା।

ରାୟ ପ୍ରକାଶ କରିବା ବେଳେ ଜଷ୍ଟିସ ସ୍ୱାମୀନାଥନ ସମ୍ବିଧାନର ଧାରା ୪୮ ର ଉଲ୍ଲେଖ କରିଥିଲେ । ଏହି ଧାରା ଅନୁଯାୟୀ ଗାଈ, ବାଛୁରୀ ଏବଂ ଅନ୍ୟାନ୍ୟ ଦୁଗ୍ଧ ଦେଉଥିବା କିମ୍ବା ହଳ କରୁଥିବା ପଶୁମାନଙ୍କ ହତ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ଏହା ସହ କୋର୍ଟ କହିଥିଲେ ଯେ, ଶ୍ରୀକୃଷ୍ଣଙ୍କ ସମୟରୁ ଗାଈ ଆମ ସଂସ୍କୃତି ସହିତ ଜଡ଼ିତ ଏବଂ ଏହାକୁ ପୂଜା  କରାଯାଏ।

ତାମିଲନାଡୁରେ ବକ୍ରିଦ୍ ସମୟରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜର ବ୍ୟକ୍ତିଗତ ପରିସର କିମ୍ବା ଧାର୍ମିକ ସ୍ଥାନରେ ପଶୁ ବଳି ଦେଇଥାନ୍ତି। 
ତାମିଲନାଡୁ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ହିଁ 'ତାମିଲନାଡୁ ପଶୁ ସଂରକ୍ଷଣ ଆଇନ' ଏବଂ କସେଁଇ ଖାନା ପାଇଁ କଡ଼ା ନିୟମ ରହିଛି। ଏହି ନିୟମଗୁଡ଼ିକ ପଶୁମାନଙ୍କୁ କେଉଁ ପରିସ୍ଥିତିରେ ଏବଂ କେଉଁ ସ୍ଥାନରେ କଟା ଯିବ ତାହା ନିୟନ୍ତ୍ରଣ କରେ । କିନ୍ତୁ ଏହା କୌଣସି ପ୍ରକାରର ପ୍ରତିବନ୍ଧକ ବା ବ୍ୟାନ୍ ଲଗାଇବାକୁ ଅଧିକାର ଦିଏ ନାହିଁ।