ନୂଆଦିଲ୍ଲୀ: ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏକ ଦୁର୍ନୀତି ମାମଲାରେ ବିହାରର ଜଣେ ସରକାରୀ ଅଧିକାରୀଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ ରଖିଛନ୍ତି। ଏହା ସହ ଜବତ ଟଙ୍କା ମୂଷା ନଷ୍ଟ କରିଦେଇଥିବା କଥା ଉପରେ ତୀବ୍ର ଅସନ୍ତୋଷ ଜାହିର କରିବା ସହ ପ୍ରଶ୍ନ ଉଠାଇଛନ୍ତି। ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଅରୁଣା କୁମାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏବଂ ଏକ ବିସ୍ତୃତ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ଅରୁଣା କୁମାରୀଙ୍କ ବିରୁଦ୍ଧରେ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିବାର ଅଭିଯୋଗ ହୋଇଥିଲା ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ପୂର୍ବରୁ ଏକ ଟ୍ରାଏଲ୍ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ।

କିନ୍ତୁ ପରେ ପାଟନା ହାଇକୋର୍ଟ ସେହି ନିଷ୍ପତ୍ତିକୁ ବାତିଲ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହାଇକୋର୍ଟ କହିଥିଲେ ଯେ, ମାମଲାରେ ଜବତ ହୋଇଥିବା ଟଙ୍କା ଉପସ୍ଥାପନ କରାଯାଇପାରିବ ନାହିଁ କାରଣ ସେଗୁଡ଼ିକ ମୂଷା ନଷ୍ଟ କରିଦେଇଛନ୍ତି। ଏହା ସତ୍ତ୍ୱେ, କୋର୍ଟ ନଥିପତ୍ରକୁ ଆଧାର କରି ମାମଲାରେ ଅଧିକାରୀଙ୍କୁ ଦୋଷୀ କରିଥିଲେ। କାରଣ ନଥିପତ୍ର ହିସାବରେ ଲାଞ୍ଚ ରାଶି ମାଲଖାନା ରେଜିଷ୍ଟରରେ ଏଣ୍ଟ୍ରି କରାଯାଇଛି। ଏହା ସହ କୋର୍ଟ କହିଥିଲେ ଯେ, ଟଙ୍କା ଉପସ୍ଥିତ ନହେବାର ଅର୍ଥ ନୁହେଁ ଯେ ମାମଲା ଦୁର୍ବଳ ହୋଇଯିବ। ଏହା ବାଦ ବି ମାମଲାରେ ଅନ୍ୟ ପ୍ରମାଣ ଆଧାରରେ ଅଧିକାରୀ ଦୋଷୀ ସାବ୍ୟସ୍ତ ହେଉଛନ୍ତି।

ତେବେ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି। ଖଣ୍ଡପୀଠ ଟିପ୍ପଣୀ କରି କହିଛନ୍ତି ଯେ, "ନୋଟ ନଷ୍ଟ ବିଷୟରେ ଯେଉଁ ବ୍ୟାଖ୍ୟା ଦିଆଯାଇଛି ତାହା ବିଶ୍ବାସ ଯୋଗ୍ୟ ନୁହେଁ।" ଚୂଡ଼ାନ୍ତ ଶୁଣାଣି ସମୟରେ ଏହି ପ୍ରସଙ୍ଗର ଅଧିକ ଯାଞ୍ଚ କରାଯିବ। ଶୁଣାଣି ସମୟରେ, ବିଚାରପତି ବ୍ୟବସ୍ଥାଗତ ତ୍ରୁଟି ବିଷୟରେ ମଧ୍ୟ ବ୍ୟାପକ ଚିନ୍ତା ପ୍ରକାଶ କରିଥିଲେ। କୋର୍ଟ କହିଥିଲେ ଏଭଳି ଅପରାଧରେ ଉଦ୍ଧାର ହୋଇଥିବା ଏପରି କେତେ ଟଙ୍କା ନୋଟ୍ ସୁରକ୍ଷିତ ସ୍ଥାନରେ ରଖା ନ ଯାଉଥିବାରୁ ନଷ୍ଟ ହୋଇଯାଏ ? ଖଣ୍ଡପୀଠ ଚେତାବନୀ ଦେଇଛନ୍ତି ଯେ, ଏପରି ଘଟଣା "ରାଜ୍ୟ ପାଇଁ ଏକ ବିପୁଳ ରାଜସ୍ୱ କ୍ଷତି" ହୋଇପାରେ।

ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶର ଅର୍ଥ ହେଉଛି କୁମାରୀ ଜାମିନରେ ରହିବେ ଏବଂ ସର୍ତ୍ତାବଳୀ ଟ୍ରାଏଲ୍ କୋର୍ଟ ଦ୍ୱାରା ନିର୍ଣ୍ଣୟ କରାଯିବ। ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩ (୨) ଅନୁଯାୟୀ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ତାଙ୍କର ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡାଦେଶ ସୁପ୍ରିମକୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ।