ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହୋଇ ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ । ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ପ୍ରଣାଳୀ ମୌସୁମୀ ବାୟୁ ପ୍ରବାହ ସହିତ ସମ୍ପୃକ୍ତ ଥିବାରୁ ଏହା ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା କମ୍ ରହିଛି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ଆକଳନ ଅନୁଯାୟୀ, ଏହି ପ୍ରକ୍ରିୟା ୨୩ ତାରିଖ ରାତି କିମ୍ବା ସେପ୍ଟେମ୍ବର ୨୪ ତାରିଖ ପୂର୍ବାହ୍ନରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ପବନ ଅପେକ୍ଷା ରାଜ୍ୟରେ ୨୨ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୧ରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।