କଣ୍ଟାମାଳ: ପାଟ୍ରୋଲିଂ ବେଳେ ଅସମୟରେ ଚାଲିଗଲା କର୍ତ୍ତବ୍ୟରତ ଅବକାରୀ ଉପ-ନିରୀକ୍ଷକ (SI)ଙ୍କ ଜୀବନ । ବଜ୍ରାଘାତ ଶିକାର ହୋଇ ପ୍ରାଣ ହରାଇଛନ୍ତି କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ପୁରୁଷୋତ୍ତମ ବେବର୍ତ୍ତା ।

ସୂଚନା ଅନୁଯାୟୀ, କଣ୍ଟାମାଳ ଅବକାରୀ ଉପ-ନିରୀକ୍ଷକ ପୁରୁଷୋତ୍ତମ ବେବର୍ତ୍ତା ନିଜ ଟିମ୍ ସହ କଣ୍ଟାମାଳ ବ୍ଲକ୍ ଗୋଛାଗୋରା ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ହଠାତ୍ ପ୍ରବଳ ବିଜୁଳି ସହ ବଜ୍ରପାତ ହୋଇଥିଲା । ବଜ୍ରାଘାତର ଶିକାର ହୋଇ ପୁରୁଷୋତ୍ତମ ସେଠାରେ ଅଚେତ୍ ହୋଇ ପଡ଼ିଯାଇଥିଲେ ।

ସାଥୀ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅବକାରୀ ଅଧିକାରୀଙ୍କ ଏପରି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଅବକାରୀ ବିଭାଗରେ ଶୋକର ଛାୟା ଖେଳିଯାଇଛି।