ନୂଆଦିଲ୍ଲୀ: ଛତିଶଗଡ଼ର କଥିତ ମଦ ଦୁର୍ନୀତି ସମ୍ପର୍କିତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଚୈତନ୍ୟଙ୍କ ଜାମିନକୁ ବିରୋଧ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁ ନା କେବଳ ଚୈତନ୍ୟ ବଘେଲଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଲାଗି ଥିବା ବିପଦ ଟଳିଛି ବରଂ ଯାଞ୍ଚ ଏଜେନ୍ସୀଙ୍କ ସେହି ଆଭିମୁଖ୍ୟ ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲାଗିଛି ଯେଉଁଥିରେ ଜାମିନ ନିବେଦନକୁ ଅଭ୍ୟାସଗତ ଭାବେ ଚ୍ୟାଲେଞ୍ଜ କରାଯାଉଥିଲା।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଶୁଣାଣି କାଳରେ ଜାମିନ ବାତିଲ କରିବାର ବଢୁଥିବା ପ୍ରବୃତ୍ତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ନ୍ୟାୟିକ ତ୍ରୁଟି ଆଧାରରେ କୌଣସି ଅଭିଯୁକ୍ତଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ କରିବା କେତେ ଉଚିତ ତା ଉପରେ ବିଚାର କରାଯିବା ଆବଶ୍ୟକ। ତେବେ ସୁପ୍ରିମକୋର୍ଟ ଛତିଶଗଡ଼ ହାଇକୋର୍ଟ ଦ୍ୱାରା ରାଜ୍ୟ ପୋଲିସ ଆର୍ଥିକ ଅପରାଧ ଶାଖା(ଇଓଡବ୍ଲୁ) ବିରୋଧରେ କରାଯାଇଥିବା ଟିପ୍ପଣୀକୁ ରେକର୍ଡରୁ ହଟାଇ ଦେଇଛନ୍ତି।

ରାଜ୍ୟ ସରକାର ଏବଂ ଇଓଡବ୍ଲୁ ଦାବି କରିଥିଲେ ଯେ ଏହି ବଡ଼ ଦୁର୍ନୀତିରେ ଚୈତନ୍ୟ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ଅନ୍ୟତମ। ତେବେ ଚୈତନ୍ୟଙ୍କ ଓକିଲ ତର୍କ ରଖିଥିଲେ ଯେ ଦୁଇ ବର୍ଷ ଦୀର୍ଘ ଯାଞ୍ଚ ପରେ ହାଇକୋର୍ଟ ସବୁ ବିଷୟରେ ବିଚାର କରିବା ପରେ ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ। ଏହା ପୂର୍ବରୁ ଜାନୁୟାରୀ ୨ ତାରିଖରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମାଙ୍କ ସିଙ୍ଗଲ ବେଞ୍ଚ ଚୈତନ୍ୟଙ୍କୁ ଇଡି ଏବଂ ଇଓଡବ୍ଲୁ ଉଭୟ ମାମଲାରେ ଜାମିନ୍ ମଞ୍ଜୁର କରିଥିଲେ।

ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ଏହି ମାମଲାର କଥିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନୱର ଢେବର, ଅନିଲ ଟୁଟେଜା ଓ ଅରବିନ୍ଦ ସିଂହଙ୍କୁ ସୁପ୍ରିମକୋର୍ଟରୁ ପୂର୍ବରୁ ଜାମିନ ମିଳିସାରିଛି। ଏଥିରେ ଚୈତନ୍ୟଙ୍କୁ ହାଜତରେ ରଖିବା ସମାନତାର ସ୍ଥାପିତ ସିଦ୍ଧାନ୍ତର ଉଲ୍ଲଂଘନ ହେବ। କୋର୍ଟ ଏହା ବି ସ୍ୱୀକାର କରିଥିଲେ ଯେ ଇଡି ଏବଂ ଇଓଡବ୍ଲୁର ଅଧିକାଂଶ ପ୍ରମାଣ କେବଳ କାଗଜପତ୍ରରେ ଏବଂ ଅଭିଯୁକ୍ତ ଦୀର୍ଘ ସମୟରୁ ଜେଲରେ ଅଛନ୍ତି ତଥା ପିଏମଏଲଏ ଧାରା ୫୦ ଅନ୍ତର୍ଗତ ବୟାନର ମୂଲ୍ୟାୟନ ଟ୍ରାୟଲ କାଳରେ ମଧ୍ୟ ହୋଇ ପାରିବ।