ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ମଣିପୁର ସରକାରଙ୍କୁ ୨୦୨୩ ଜାତିଆଣ ହିଂସା କାଳରେ ବିଭିନ୍ନ ସରକାରୀ ରିଲିଫ କ୍ୟାମ୍ପମାନଙ୍କରେ ଆଶ୍ରୟ ନେଇଥିବା ୨୫ ଜଣଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କଥିତ ଯୌନ ଉତ୍ପୀଡ଼ନ ଅଭିଯୋଗ ମଧ୍ୟ ରହିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମାମଲାରେ ହୋଇଥିବା ସୀମିତ ସଂଖ୍ୟକ ପୋଷ୍ଟମର୍ଟମ ପରୀକ୍ଷଣ ଓ ମୃତକଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

କୋର୍ଟ ରାଜ୍ୟର ସମସ୍ତ ୨୫ ମାମଲାର ବିବରଣୀ ପ୍ରଦାନ କରିବାକୁ ନିର୍ଦେଦଶ ଦେଇଛନ୍ତି, ଯେଉଁଥିରେ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତ୍ୟୁର କାରଣ ଦର୍ଶାଉଥିବା ଅନ୍ୟ କାଗଜପତ୍ର ଉପସ୍ଥାପନ କରିବାକୁ ମଧ୍ୟ କହିଛନ୍ତି। ଏଥିରେ କୋର୍ଟ ରାଜ୍ୟ ସରକାରଙ୍କୁ ତାଙ୍କ ମୁଖ୍ୟ ସଚିବଙ୍କୁ ଆଦେଶ ଆମନ୍ତ୍ରିତ ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ବାବଦେ ରାଜ୍ୟ ସରକାର କଣ ଉପାୟ ଗ୍ରହଣ କରିଛନ୍ତି ଜଣାଇବାକୁ ମଣିପୁର ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ଆଡଭୋକେଟ ଜେନେରାଲଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ହୋଇଛି ଯେତେବେଳେ ୨୦୨୩ ମଣିପୁର ଜାତିଆଣ ହିଂସା ଯୋଗୁ ଉପୁଜିଥିବା ଯୌନ ହିଂସା ମାମଲାର ଯାଞ୍ଚ ଓ ମୋକଦ୍ଦମା ସମ୍ପର୍କିତ ଆବେଦନର ଶୁଣାଣି ସୁପ୍ରିମକୋର୍ଟେ ହେଉଛି। ପୀଠ ଜମ୍ମୁ ଓ କାଶ୍ମୀର ଉଚ୍ଚନ୍ୟାୟାଳୟଙ୍କ ପୂର୍ବତନ ମୁଖ୍ୟ ବିଚାରପତି ଗିତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟର ମଧ୍ୟ ସଂଜ୍ଞାନ ନେଇଛନ୍ତି। ଏହି ରିପୋର୍ଟରେ ରିଲିଫ କ୍ୟାମ୍ପମାନଙ୍କରେ ହୋଇଥିବା ମୃତ୍ୟୁର ଉଲ୍ଲେଖ ଥିବା ବେଳେ କ୍ଷତିପୂରଣ ପ୍ରଦାନ ନେଇ ତିନ୍ତା ପ୍ରକଟ କରାଯାଇଛି।

କୋର୍ଟ ମାମଲାରେ ରାଜ୍ୟ ସରକାରଙ୍କ ସ୍ପଷ୍ଟିକରଣ ତଲବ କରିଛନ୍ତି। ମୋଟ ୨୫ ମୃତ୍ୟୁରୁ ମାତ୍ର ୨୦ଟିରେ ପୋଷ୍ଟମର୍ଟମ ହୋଇଛି। ସେହିପରି ମୃତକଙ୍କ ପରିବାରଙ୍କୁ ୨୦ରୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ତେବେ ଏହି କ୍ଷତିପୂରଣ କାହିଁକି ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ରିପୋର୍ଟରେ ୮ ଜିଲ୍ଲାର ରିଲିଫ କ୍ୟାମ୍ପମାନଙ୍କରେ ୬୪୦ ମୃତ୍ୟୁ ଉଲ୍ଲେଖ କରାଯାଇଛି। କୋର୍ଟ ମଣିପୁର ସରକାରଙ୍କୁ ରିଲିଫ କ୍ୟାମ୍ପମାନଙ୍କରେ ଅନ୍ତରୀଣ ଭାବେ ବିସ୍ଥାପିତ ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ସମ୍ମାନ ରକ୍ଷା ଲାଗି ହାତକୁ ନିଆଯାଇଥିବା ଉପାୟ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ, ସେମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଓ ଦୈନିନ୍ଦିନ ଅତ୍ୟାବଶକୀୟ ସାମଗ୍ରୀ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଣିପୁର ବିଧିସେବା ପ୍ରାଧିକରଣଙ୍କୁ ଏହି ପ୍ରସଙ୍ଗ ତୁରନ୍ତ ନିଜ ହାତକୁ ନେବାକୁ ଓ ଅସ୍ୱଭାବିକ ମୃତ୍ୟୁର ସବୁ ମାମଲାରେ ଏଫଆଇର ରୁଜୁ କରିବା, ମୃତ୍ୟୁର ସଠିକ କାରଣ ଜାଣିବା ଓ ତ୍ୱରିତ୍ ଯାଞ୍ଚ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବିସ୍ଥାପିତ ଲୋକେ ଏବଂ ପୀଡ଼ିତଙ୍କ ସୁରକ୍ଷା ଲାଗି ଉପାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ମେ ୨୦୨୩ରେ ମଣିପୁରରେ ସୃଷ୍ଟି ହୋଇଥିବା ଜାତିୟାଣ ହିଂସା ପୃଷ୍ଠଭୂମିରେ ଆସିଛି, ଯେଉଁଥି ପାଇଁ ମୃତ୍ୟୁ, ବିସ୍ଥାପନ ଓ ଯୌନ ହିଂସାର ଅଭିଯୋଗ ହୋଇଥିଲା।