ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗ ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରୁଥିବା ଟ୍ରିବ୍ୟୁନାଲଙ୍କୁ ଭୋଟର ଲିଷ୍ଟରୁ ନାମ ହଟାଯିବାକୁ ଚ୍ୟାଲେଞ୍ଜ କରିଥିବା ଭୋଟରଙ୍କ ଆବେଦନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯେଉଁମାନେ ନାମ ଯୋଡିବା ପାଇଁ ପିଟିସନ ଦାଖଲ କରିଛନ୍ତି ବର୍ତ୍ତମାନପାଇଁ ସେମାନଙ୍କୁ ଟାଳିଦେବାକୁ କହିଛନ୍ତି। ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଟ୍ରିବ୍ୟୁନାଲଙ୍କୁ କହିଛନ୍ତି ଯେ ପ୍ରଥମେ ନାମ ହଟାଯିବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନଗୁଡିକୁ ନାମ ଯୋଡିବା ଆବେଦନରୁ ପୃଥକ କରନ୍ତୁ। ପରେ ନାମ ହଟାଯିବା ମାମଲାକୁ ପ୍ରାଥମିକତା ଦିଅନ୍ତୁ।

ଲାଇଭ ଲ ରିପୋର୍ଟ ଅନୁସାରେ ପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଦ୍ୱିତୀୟ ଶ୍ରେଣୀର ଅପିଲ (ନାମ ଯୋଡିବାକୁ ଆବେଦନ)କୁ ନେଇ ତରବର ହେବାର କୌଣସି କାରଣ ନାହିଁ। ଏଣୁ ଏପରି ଆବେଦନକୁ ବର୍ତ୍ତମାନ ନିମନ୍ତେ ଟଳାଯାଇ ପାରିବ। ତେବେ ପ୍ରଥମ ଶ୍ରେଣୀରେ ଆସିଥିବା ଅପିଲ (ନାମ ହଟିବା ସମ୍ପର୍କିତ) ଚୂଡ଼ାନ୍ତ ସମାଧାନ ମାମଲାରେ ପ୍ରାଥମିକତା ଦିଆଯିବା ଉଚିତ। ପୀଠ ଟ୍ରିବ୍ୟୁନାଲଙ୍କୁ ଏହା ବି ନିର୍ଦ୍ଦେଶ ଦେଇଛନ୍ତି ଯେ ନାମ ହଟାଯିବା ସମ୍ପର୍କିତ ମାମଲାରେ କୋଲକାତା ନଗରନିଗମ ଅଧିକାର କ୍ଷେତ୍ରରେ ଆସୁଥିବା ଭୋଟରଙ୍କ ମାମଲାକୁ ପ୍ରାଥମିକତା ଦିଆଯାଉ। କାରଣ ସେଠାରେ ଖୁବ୍ ଶୀଘ୍ର ନଗରନିଗମ ନିର୍ବାଚନ ହେବାର ଅଛି।

ସେପଟେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ କୋଲକାତା ଉଚ୍ଚନ୍ୟାୟାଳୟଙ୍କ ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରି ପଶ୍ଚିମବଙ୍ଗ ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରୁଥିବା ଅପିଲିୟ ନ୍ୟାୟାଧିକରଣଙ୍କ ସଂଖ୍ୟା ବଢାନ୍ତୁ। ଶୀର୍ଷ ନ୍ୟାୟାଳୟ ସେହି ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ଯେଉଁଥିରେ ରାଜ୍ୟରେ ଏସଆଇଆର ସମ୍ପର୍କିତ ଅଭିଯୋଗ ସମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ଆଗରେ ଆବେଦନଗୁଡିକର ସମାଧାନ ପ୍ରକ୍ରିୟାକୁ ସୁ ବ୍ୟବସ୍ଥିତ ଓ ଦ୍ରୁତ କରିବା ପାଇଁ ଦାବି କାରଯାଇଥିଲା।

ଏହା ପୂର୍ବରୁ ପୀଠ ଅଗଷ୍ଟ ୨୫ ତାରିଖରେ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ବିଚାରାଧୀନ ଓ ସମାଧାନ ହୋଇସାରିଥିବା ମାମଲାର ବିବରଣୀ ଉପସ୍ଥାପନ କରନ୍ତୁ, ଯେଉଁଥିରେ ସୂଚୀରୁ ନାମ ହଟିଥିବା ଓ ଯୋଡାଯିବାକୁ ନେଇ ଭୋଟରଙ୍କ ଦ୍ୱାରା ରୁଜୁ କରାଯାଇଥିବା ଆବେଦନର ଅଲଗା-ଅଲଗା ସଂଖ୍ୟା ମଧ୍ୟ ସାମିଲ କରନ୍ତୁ। କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏହା ବି ଜଣାଇବାକୁ କହିଥିଲେ ଯେ ଅପିଲକୁ ଏକ ନିଶ୍ଚିତ ସମୟ ସୀମା ମଧ୍ୟରେ ସମାଧାନ ସୁନିଶ୍ଚିତ କରିବା ପାଇଁ ଆଉ କେତେ ଅତିରିକ୍ତ ଟ୍ରିବ୍ୟୁନାଲର ଆବଶ୍ୟକତା ପଡିବ?