ଭଦ୍ରକ ୨୪।୬: ଏବେ ବଦଳି ଯାଇଛି ଯୋଗାଣ ସାମଗ୍ରୀର ପରିମାଣ । ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ବଦଳରେ ମିଳୁଛି ୧୦ କିଲୋ ଚାଉଳ । ତେବେ ଏବେ ପୁଣି ଯୋଗାଣ ସାମଗ୍ରୀ ଯୋଗାଣକୁ ନେଇ ଉତ୍ତେଜନା ଦେଖା ଦେଇଛି । ଭଦ୍ରକ ଜିଲ୍ଲା ଅର୍ଣାପାଳ ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ଓ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ନ ମିଳିବା ନେଇ ଅଭିଯୋଗ ହୋଇଥିଲା । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା । ତେବେ ତଦନ୍ତ ବେଳେ ହଠାତ୍ ଆରମ୍ଭ ହୋଇଥିଲା ଉତ୍ତେଜନା । ଝଗଡା ଦେଖି ଯୋଗାଣ ବିଭାଗ ଅଧିକାରୀ ମାନେ ପଳାଉଥିବା ବେଳେ ଲୋକେ ଗାଡ଼ି ଅଟକ ରଖିଥିଲେ । କିନ୍ତୁ ଘଟଣାକୁ ନେଇ ଦାୟିତ୍ଵରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ । ହିତାଧିକାରୀ କୌଣସି ଅଭିଯୋଗ କରୁ ନଥିବା ବେଳେ କେତେକ ଲୋକେ ବିନା କାରଣରେ ଅଭିଯୋଗ କରୁଛନ୍ତି ।

Also Read:-ଛବିରାଣୀଙ୍କ ସ୍ବାମୀ ନବକିଶୋର ମହାପାତ୍ରଙ୍କ ପରଲୋକ, ପୁଣି ତାଜା ହେଲା ୧୯୮୦ର ଲୋମହର୍ଷଣକାରୀ ଘଟଣା

ଉତ୍ତେଜନା ପରେ ଦୀର୍ଘ ସମିଧରି ଯୋଗାଣ ବିଭାଗର ଅଧିକାରୀଙ୍କୁ ଅଟକ ରଖିଥିଲେ । ତେବେ ତଦନ୍ତ ପାଇଁ ଆସିଥିବା ଟିମ୍ ଗ୍ରାଉଣ୍ଡକୁ ନ ଯାଇ ଯୋଗାଣ ସାମଗ୍ରୀ ବଣ୍ଟନ ହେଉଥିବା ସ୍ଥାନରେ ତଦନ୍ତ କରୁଥିବା କହିଥିଲେ ଅପରପକ୍ଷ । ଉତ୍ତେଜନା ପାଇଁ ଚାଉଳ ଯୋଗାଣ ମଧ୍ୟ ବନ୍ଦ ରହିଥିଲା । ଉତ୍ତେଜନା ଓ ଝଗଡାର ବେଶ୍ କିଛି ସମୟ ପରେ ପହଞ୍ଚିଥିଲେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ତେବେ ବିଡିଓ କହିଛନ୍ତି ଯେ ଭୁଲ୍ ବୁଝାମଣା ଯୋଗୁଁ ଏମିତି ସ୍ଥିତି ଉପୁଜିଛି । ଏହି ସ୍ଥାନରେ ୯୦୦ରୁ ଅଧିକ ହିତାଧିକାରୀ ଥିବା ଯୋଗୁଁ ଭିଡ ହୋଇଥିଲା । ଗୋଟିଏ ଦିନରେ ଚାଉଳ ବଣ୍ଟନ ସହ ଅତିରିକ୍ତ ଯୋଗାଣ ଅଧିକାରୀ ଓ ଏମଆଇ ତଦନ୍ତ ପାଇଁ ଆସିଥିବା ଯୋଗୁଁ ଏମିତି ଅବସ୍ଥା ହୋଇଥିଲା । ତେବେ ଯୋଗାଣ ସାମଗ୍ରୀ ଯୋଗାଣରେ ଥିବା ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଥିଲେ । ତେବେ ତଦନ୍ତ ରିପୋର୍ଟରେ ସବୁ ସାମ୍ନାକୁ ଆସିବ ବୋଲି କହିଛନ୍ତି ।