ଭୁବନେଶ୍ୱର ୨୮।୧୧ : ରାଜଧାନୀରେ ରାସ୍ତା ଉପରେ ହଣାକଟା । ଚନ୍ଦ୍ରଶେଖରପୁର ଫାୟାର ଷ୍ଟେସନ ସାମ୍ନାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ । ଦୁଇଟି ବାଇକ୍‌ରେ ଆସିଥିଲେ ୩ ଜଣ ଆକ୍ରମଣକାରୀ । ଆକ୍ରମଣରେ ଗୁରୁତର ହୋଇଛନ୍ତି ରାଜା । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ଚନ୍ଦ୍ରଶେଖରପୁର ପୋଲିସ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଖବର ଅନୁଯାୟୀ, ଶନିବାର ମଧ୍ୟାହ୍ନ । ରାଜଧାନୀର ରାଜ ରାସ୍ତା ଖେଳିଲା ଆତଙ୍କ । ମୁଖା ପିନ୍ଧି ଆସିଲେ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଦୁଇଟି ବାଇକ୍‌ରେ ଆସିଲେ ୩ ଜଣ ଦୁର୍ବୃତ୍ତ । ହଠାତ୍ ରାଜାଙ୍କ ଉପରେ କରିଥିଲେ ଆକ୍ରମଣ । ଜୀବନ ବିକଳରେ ଦୌଡ଼ିଥିଲେ ରାଜା, ହେଲେ ଛାଡ଼ିନଥିଲେ ଆକ୍ରମଣକାରୀ । ତେବେ ଏହି ଆକ୍ରମଣରେ ଗୁରୁତର ହୋଇଥିଲେ ରାଜା ।

Also Read:-ଟ୍ରାଫିକ୍ ପୋଲିସ ନଥିଲେ ବି ମିଳିବନି ଖସିବାର ବାଟ, କ୍ୟାମେରା କାଟିବ ସ୍ୱୟଂଚାଳିତ ଚାଲାଣ

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ସେଠାରେ ରାଜାଙ୍କର ଚିକିତ୍ସା ଚାଲିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ, କିଏ ଏହି ଆକ୍ରମଣକାରୀ, ତାହାର ଖୋଳତାଡ଼ କରୁଛି ପୋଲିସ ।

ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୁକ୍ତଙ୍କ ଗତିବିଧି ଓ ପରିଚୟ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ରାଜଧାନୀରେ ରାସ୍ତା ଉପରେ ଏଭଳି ହଣାକଟା ଘଟଣା ପୁଣି ଥରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି ।