ଜଗତସିଂହପୁର ୨୪।୬: ୧୯୮୦ ଦଶକର ଲୋମହର୍ଷଣକାରୀ ତଥା ଚର୍ଚ୍ଚିତ ନାଁ ଛବିରାଣୀଙ୍କର ସ୍ୱାମୀ ଓଡ଼ିଶା ସାମ୍ବାଦିଳତା ଜଗତର ଜଣେ ସଂଗ୍ରାମୀ ତଥା ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ନବକିଶୋର ମହାପାତ୍ରଙ୍କର ପରଲୋକ ହୋଇଯାଇଛି । ବିରିଡ଼ି ଥାନା ଅନ୍ତର୍ଗତ ବାରେଡିଆ ପଞ୍ଚାୟତ ଡିହସାଇବିରି ଗ୍ରାମର ନବକିଶୋର କିଛି ଦିନ ହେବ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ । ସୋମବାର ବ୍ରହ୍ମପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ନବଙ୍କର ମୃତ୍ୟୁ ଖବର ଜାଣିବା ପରେ ପୁଣି ସେଇ ୪୬ ବର୍ଷର ଲୋମଟାଙ୍କୁରା ତଥା ବର୍ବୋରଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଲୋକଙ୍କ ସ୍ମୃତିରେ ଜୀବନ୍ତ ହୋଇ ଉଠିଛି ।

ପତ୍ନୀଙ୍କୁ ହରାଇଥିଲେ ନବକିଶୋର

ଅବିଭକ୍ତ କଟକ ଜିଲାର ବିରିଡ଼ି ବ୍ଲକରେ ସାମ୍ବାଦିକାତା  କରୁଥିଲେ  ବାଇଶିମୌଜା ଡିହସାହିବିରି ଗାଁର ନବକିଶୋର ମହାପାତ୍ର  । ସେହି ସମୟରେ ବିରିଡ଼ି ବ୍ଳକରେ ଚାଲିଥିବା ଦୁର୍ନୀତି ଏବଂ ଏଥିରେ ଲିପ୍ତ ଥିବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ପ୍ରଭାବଶାଳୀ ଅଧିକାରୀଙ୍କ ବିରୋଧରେ ସେ କ୍ରମାଗତ ଭାବେ ସତ୍ୟ ଖବର ପ୍ରକାଶ କରିଥିଲେ । ସତ୍ୟ ପ୍ରକାଶ କରିବା ପରେ ଦୁର୍ନୀତିଗ୍ରସ୍ତ ଅସାମାଜିକ ବ୍ୟକ୍ତି ମାନଙ୍କ ଆକ୍ରୋଶର ଶିକାର ଥିଲେ ନବ କିଶୋର । ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ପତ୍ନୀଙ୍କୁ ହରାଇବାକୁ ପଡିଥିଲା ତାଙ୍କୁ ।  ଆଉ ଅକଳରେ ପଡ଼ିଥିଲା ତତ୍କାଳୀନ କଂଗ୍ରେସ ସରକାର ।

ଗତ ସୋମବାର ଦିନ ଏହି ସାହସୀ ସାମ୍ବାଦିକଙ୍କ ବିୟୋଗ ଖବର ଶୁଣିବା ପରେ ସମଗ୍ର ବାଇଶମୌଜା ଅଞ୍ଚଳବାସୀଙ୍କ ମନରେ ୧୯୮୦ ମସିହାର ସେହି ରକ୍ତରଞ୍ଜିତ ଓ ଲୋମହର୍ଷଣକାରୀ ଅଧ୍ୟାୟ ପୁଣି ତାଜା ହୋଇଉଠିଛି ।

ଏମିତି ଥିଲା ସେହି ଲୋମହର୍ଷଣକାରୀ ଘଟଣା

ନବକିଶୋର ତାଙ୍କ ପରିବ।ର ସହ ସେତେବେଳେ ବିରିଡ଼ି  ଗ୍ରାମରେ ଏକ ଭଡା ଘରେ ପତ୍ନୀ ଛବିରାଣୀ ଓ ଦୁଇ ବର୍ଷର କୁନି ପୁଅକୁ ନେଇ ରହୁଥିଲେ । ସାମ୍ବାଦିକତା ପାଇଁ ଶତ୍ରୁ ପାଲଟିଥିବା ବିରିଡି ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତି ଘଟଣା ଦିନ ରାତିରେ ତାଙ୍କୁ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ । ସେମାନଙ୍କ ଭୟରେ ନବକିଶୋର ରାତି ପ୍ରାୟ ୧୦ଟାରେ ନିଜ ପତ୍ନୀ ଛବିରାଣୀ ଓ ଶିଶୁପୁତ୍ରକୁ ଧରି ନିଜ ଗାଁକୁ ଯିବାପାଇଁ ଘୋର ଅନ୍ଧକାର ଭିତରେ ବିଲୁଆ ଖାଇ ନଦୀ ପାର ହେବାକୁ ଯାଉଥିଲେ । ମାତ୍ର ସେମାନଙ୍କ ପିଛା କରୁଥିବା ସମ୍ପୃକ୍ତ ନର ପିଚାଶ ମାନେ ନଦୀ ପଠାରେ ସେମାନଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ଭୟାନକ ପରିସ୍ଥିତିରେ କୁନି ପୁଅର ଜୀବନ ବଞ୍ଚାଇବା ପାଇଁ ପତ୍ନୀ ଛବିରାଣୀ ନିଜ ସ୍ଵାମୀଙ୍କୁ ଅନୁରୋଧ କରି ସେଠାରୁ ପଳାଇଯିବାକୁ କହିଥିଲେ । ପତ୍ନୀଙ୍କ କଥା ମାନି ନବକିଶୋର ପୁଅକୁ ଧରି ସେହି ରାକ୍ଷସ ମାନଙ୍କ କବଳରୁ କୌଣସି ମତେ ମୁକୁଳି ଯାଇଥିଲେ । ମାତ୍ର ନରରାକ୍ଷସ ମାନେ ସାମ୍ବାଦିକଙ୍କୁ ନପାଇ ନିରୀହ ପତ୍ନୀ ଛବିରାଣୀଙ୍କୁ ସେହି ନଦୀ ପଠାରେ ଅତି ବୀଭତ୍ସ ଭାବେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

ଅକଳରେ ପଡ଼ିଥିଲା ତତ୍କାଳୀନ କଂଗ୍ରେସ ସରକାର

୧୯୮୦ ଅକ୍ଟୋବର ମାସ ୩ ତାରିଖରେ ଘଟିଥିବା ଏହି ବୀଭତ୍ସ ‘ଛବିରାଣୀ ହତ୍ୟାକାଣ୍ଡ' ଘଟଣା ସେତେବେଳେ ରାଜ୍ୟ ତଥା ଜାତୀୟସ୍ତରରେ କମ୍ପନ ସୃଷ୍ଟି କରିଥିଲା । ସାମ୍ବାଦିକଙ୍କ ପରିବାର ଉପରେ ହୋଇଥିବା ଏହି ଅତ୍ୟାଚାର ବିରୋଧରେ ସାରା ଦେଶରେ ସ୍ଵର ଉଠିଥିଲା I ଜଗତସିଂହପୁରରେ ବିଷ୍ଣୁ ଦାସଙ୍କ ନେତୃତ୍ବରେ ଦୁର୍ବାର ଆନ୍ଦୋଳନ ହୋଇଥିଲା । ଫଳରେ ତତ୍କାଳୀନ ଶାସକ କଂଗ୍ରେସ ସରକାର ଅକଳରେ ପଡ଼ିଥିଲା । ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଦ୍ୱାରା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ  ଅଭିଯୁକ୍ତଙ୍କୁ  ୨୨ ବର୍ଷ ପରେ ଆଜୀବନ କାରାଦଣ୍ଡ ମିଳିଥିଲା। ୪୬ବର୍ଷର ଏହି ମର୍ମନ୍ତୁଦ ଘଟଣା ଆଜି ବି ଜଗତସିଂହପୁର ଜିଲ୍ଲାବାସୀଙ୍କ ମନରେ ଉଙ୍କି ମାରୁଛି ।

ସତ୍ୟ ଓ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା କରି ନିଜ ସଂସାର ହରାଇଥିବା ସାମ୍ବାଦିକଙ୍କ ବିୟୋଗରେ ଓଡ଼ିଶା ଗଣମାଧମ ଜଗତରେ ଶୋକ ପ୍ରକାଶ ପାଇବା ସହ ପୁଣି ସେହିନର ସେହି ଅଭୁଲା ଘଟଣାକୁ ସମସ୍ତଙ୍କ ମନରେ ଉଦଯିବିତ କରାଇଛି ।