କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଫ୍ଲପ ଶୋ। କିଓ୍ଵି ଦଳର ପ୍ରଥମ ଇନିଂସ ୩୫୬ନ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ଆଣ୍ଠେଇଛି। ଟପ୍ ଅର୍ଡର ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୧୧୬ ରନ କରିଛି। ଦଳ ନ୍ୟୁଜିଲାଣ୍ଡଠୁ ୨୪୦ ରନ ପଛରେ ରହିଛି। କ୍ରିଜରେ ଧ୍ରୁବ ଜୁରେଲ(୭ ରନ) ବ୍ୟାଟିଂ କରୁଛନ୍ତି।

ନ୍ୟୁଜିଲାଣ୍ଡ ୩୫୬ ରନରେ ଅଲଆଉଟ୍ ହେବା ପରେ ଭାରତ ନିଜର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ହେଲେ ଟପ୍ ଅର୍ଡର ଏମିତି ବ୍ୟାଟିଂ କରିବେ ବୋଲି କେହି ଆଶା କରି ନ ଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ବ୍ୟାକଫୁଟରେ ରହିଛି ଭାରତ। ଯଶସ୍ଵୀ ଜୟସ୍ଵାଲ ଖାତା ଖୋଲି ପାରି ନ ଥିଲେ। କେଏଲ ରାହୁଲ ଓ ଦେବଦତ୍ତ ପାଡିକଲ କିଛି ସମୟ କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ ହେଁ ଫେଲ୍ ମାରିଥିଲେ। ପାଡିକଲ ଦ୍ରୁତ ୨୦ ରନ କରି ଆଉଟ୍ ହୋଇଥିଲେ।

Also Read: ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମ୍ରା: ଛାଡି ଦେବେ କି ଦଳ ?

ଅଧିନାୟକ ଶୁଭମନ ଗିଲ୍(୧୭ ରନ) ନିରାଶ କରିଥିଲେ। ଋଷଭ ପନ୍ତ(୨୩ ରନ)ଙ୍କ ମଧ୍ୟ ବ୍ୟାଟ୍ ଚାଲି ନ ଥିଲା। ଏହା ପରେ କେଏଲ ରାହୁଲ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହିପରି ଭାରତ ବହୁ କଷ୍ଟରେ ୧୦୦ ରନ ପୂରା କରି ଅଧା ଓ୍ଵିକେଟ୍ ହରାଇଛି। ପୁଣି ଦିନର ଶେଷ ଆଡ଼କୁ ଓ୍ଵାଶିଂଟନ ସୁନ୍ଦର(୧୦ ରନ) ଆଉଟ୍ ହେବା ସହ ଦ୍ଵିତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ ଅମ୍ପାୟର। ଏହା ସହ ଭାରତ ୬ ଓ୍ଵିକେଟ୍ ହରାଇ ୧୧୬ ରନ କରିଛି।

ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ଓ ଜାକବ ଡଫି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମ୍ୟାଟ ହେନରି ଓ ନାଥନ ସ୍ମିଥଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ପ୍ରଥମ ସେସନରେ ଭାରତୀୟ ବୋଲର ଘାତକ ବୋଲିଂ କରି ଘରୋଇ ଟିମର ପ୍ରଥମ ଇନିଂସକୁ ୩୫୬ ରନରେ ଅଟକାଇଥିଲେ। ବିଶେଷ କରି ଆକାଶ ଦୀପ ଶାଣିତ ବୋଲିଂ କରି ୫ ଓ୍ଵିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ବ୍ଲଣ୍ଡେଲ ସର୍ବାଧିକ ୮୯ ରନ କରିଥିବା ବେଳେ ଅଧିନାୟକ ଟମ ଲାଥମ ୫୯ ରନ କରିଛନ୍ତି।