ନୂଆଦିଲ୍ଲୀ ୨୪।୦୯; ପ୍ରଶାନ୍ତ ମହାସାଗରରେ ପ୍ରକୃତିର ଭୟଙ୍କର ଖେଳ! ମାଡି ଆସୁଛି ‘ସୁପର ଏଲ୍ ନିନୋ’ । ଆଉ ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ଗରମ ନେଇପାରେ ଲକ୍ଷ ଲକ୍ଷ ଜୀବନ! ବୈଜ୍ଞାନିକ ଆକଳନ ଅନୁସାରେ, ଚଳିତ ଏଲ୍ ନିନୋ ସହ ଜଡିତ ଅତିରିକ୍ତ ଗରମ ଯୋଗୁଁ ୨୦୨୭ ଫେବ୍ରୁଆରି ପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ୪ ଲକ୍ଷ ୫୧ ହଜାର ଅତିରିକ୍ତ ଗରମଜନିତ ମୃତ୍ୟୁହୋଇପାରେ।

ଏତିକି ହିଁ ନୁହେଁ ଭାରତ ମଧ୍ୟ ରହିଛି ବିପଦରେ। ଆକଳନ ଅନୁସାରେ, ଭାରତରେ ପ୍ରାୟ୧୫ ହଜାର ୮ ଶହଅତିରିକ୍ତ ଗରମଜନିତ ମୃତ୍ୟୁର ଆଶଙ୍କା ରହିଛି। ଅସାଧାରଣ ଭାବେ ବଢୁଥିବା ତାପମାତ୍ରା ଏବଂ ବିଶ୍ୱ ତାପନର ପ୍ରଭାବ ମିଶି ଆଗାମୀ ମାସଗୁଡ଼ିକୁ ଆହୁରି ଉତ୍ତପ୍ତ କରିପାରେ।

ଚିକାଗୋ ବିଶ୍ୱବିଦ୍ୟାଳୟର Climate Impact Labର ନୂଆ ରିପୋର୍ଟ ଅନୁସାରେ, ଏଲ୍ ନିନୋ ଯୋଗୁଁ ବିଶ୍ୱର ଭୂଭାଗର ତାପମାତ୍ରା ସ୍ୱାଭାବିକ ସ୍ତରଠାରୁ ପ୍ରାୟ ୧.୨ ଡିଗ୍ରୀ ସେଲସିୟସ୍ ଅଧିକ ହୋଇପାରେ। ଅତ୍ୟଧିକ ଗରମ ଦିନର ସଂଖ୍ୟା ମଧ୍ୟ ସାଧାରଣ ବର୍ଷ ତୁଳନାରେ ପ୍ରାୟ ୪୪ ପ୍ରତିଶତ ବଢ଼ିପାରେ।

କେଉଁଠି କେତେ ମୃତ୍ୟୁର ଆକଳନ?’

ନାଇଜେରିଆ -ପ୍ରାୟ ୩୧,୪୦୦

ଇଣ୍ଡୋନେସିଆ -ପ୍ରାୟ ୧୯,୩୦୦

ସୁଦାନ - ପ୍ରାୟ ୧୭,୬୦୦

ଭାରତ -ପ୍ରାୟ ୧୫,୮୦୦

ବ୍ରାଜିଲ୍ - ପ୍ରାୟ ୧୩,୩୦୦

ଆମେରିକା - ପ୍ରାୟ ୩,୫୦୦

ଆଫ୍ରିକାର ସାହେଲ ଅଞ୍ଚଳ ଏବଂ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟ ଅତ୍ୟଧିକ ପ୍ରଭାବିତ ହୋଇପାରେ। ତେବେ ଏହି ସଂଖ୍ୟା ଶୁଣିବାକୁ ଯେତେ ବଡ଼, ଏହାକୁ ବୁଝିବା ମଧ୍ୟ ସେତିକି ଜରୁରୀ। ଏହା ଘଟିସାରିଥିବା ମୃତ୍ୟୁସଂଖ୍ୟା ନୁହେଁ। ଏହେଉଛି ବୈଜ୍ଞାନିକ ମଡେଲ୍ ଏବଂ ତାପମାତ୍ରା ପୂର୍ବାନୁମାନ ଆଧାରିତ ଏକ ଆକଳନ। ରିପୋର୍ଟରେ କେବଳ ଅତିରିକ୍ତ ଗରମ ସହ ଜଡିତ ମୃତ୍ୟୁକୁ ଗଣନା କରାଯାଇଛି। ମରୁଡ଼ି, ବନ୍ୟା ଏବଂ ଜଙ୍ଗଲ ନିଆଁ ଭଳି ଅନ୍ୟ ଏଲ୍ ନିନୋଜନିତ ବିପଦରୁ ହୋଇପାରୁଥିବା ମୃତ୍ୟୁ ଏଥିରେ ସାମିଲ ନୁହେଁ।

ଭାରତ ପାଇଁ ଚିନ୍ତା :

ଭାରତ ପାଇଁ ମଧ୍ୟ ଏହି ଆକଳନ ଚିନ୍ତା ବଢ଼ାଇଛି। ଆଗାମୀ ଛଅ ମାସରେ ପ୍ରାୟ ୧୫ ହଜାର ୮ ଶହ ଅତିରିକ୍ତ ଗରମଜନିତ ମୃତ୍ୟୁର ଆକଳନ କରାଯାଇଛି। ବିଶେଷ କରି ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ଏହାର ବଡ଼ ଅଂଶ ଘଟିପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ତେବେ ଭାରତରେ ଗରମଜନିତ ମୃତ୍ୟୁର ପ୍ରଭାବ ଏହା ପରେ ମଧ୍ୟ ବଢ଼ିପାରେ ବୋଲି ଗବେଷକମାନେ କହିଛନ୍ତି।